ଦିଲ୍ଲୀ ଗଲେ ରାଘବ-ପରିଣୀତି: ବିମାନ ବନ୍ଦରରେ ଏକତ୍ର ନଜର ଆସିଲେ

ମୁମ୍ବାଇ: ନିଜ ବିବାହକୁ ନେଇ ଆଜିକାଲି ଚର୍ଚ୍ଚାରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା। ଗତ କିଛି ଦିନ ହେଲାଣି ପରିଣୀତିଙ୍କ ବିବାହ ଆମ୍ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ାଙ୍କ ସହ ହେବ ବୋଲି କୁହାଯାଉଛି। ତେବେ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆସନ୍ତା ଶନିବାର ପରିଣୀତି ଓ ରାଘବ ନିର୍ବନ୍ଧ କରିବାକୁ ଯାଉଛନ୍ତି। ସେମାନଙ୍କ ନିର୍ବନ୍ଧ ଦିଲ୍ଲୀରେ ହେବ ବୋଲି ଶୁଣିବାକୁ ମିଳୁଛି।

ଏଥିପାଇଁ ଏହି ପ୍ରେମପକ୍ଷୀ ଦିଲ୍ଲୀ ଯାଉଥିବା ବେଳର ଫଟୋ ବି ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଦୁହିଁଙ୍କୁ ଏକତ୍ର ବିମାନ ବନ୍ଦରରେ ଦେଖିବାକୁ ମିଳିଛି। ରାଘବ ଧଳା ରଂଗର ପ୍ୟାଣ୍ଟ୍‌ ସାଙ୍ଗକୁ କଳା ରଂଗର ସାର୍ଟ ପିନ୍ଧିଥିବା ବେଳେ ପରିଣୀତି ଏକ ନାଲି ରଂଗର ପୋଷାକ ପିନ୍ଧି ବେଶ୍‌ ଆକର୍ଷଣୀୟ ଦିଶୁଛନ୍ତି।

ତେବେ ଦିଲ୍ଲୀରେ ସେମାନଙ୍କ ନିକଟତର ଲୋକଙ୍କ ମେଳରେ ନିର୍ବନ୍ଧ ହେବ ବୋଲି ସୂଚନା ରହିଛି। ପ୍ରଥମେ ପୂଜାପାଠ ହେବା ପରେ ସେମାନେ ପରସ୍ପରଙ୍କୁ ମୁଦି ପିନ୍ଧାଇବେ। ନିର୍ବନ୍ଧକୁ ଆସିଥିବା ଅତିଥିମାନଙ୍କ ପାଇଁ ସେଣ୍ଟ୍ରାଲ୍‌ ଦିଲ୍ଲୀରେ ମଧ୍ୟାହ୍ନ ଭୋଜନ ଓ ରାତ୍ର ଭୋଜନର ବନ୍ଦୋବସ୍ତ ହୋଇଛି। ତେବେ ଚଳିତବର୍ଷ ଅକ୍ଟୋବର ଶେଷ ସୁଦ୍ଧା ବିବାହ ହୋଇପାରେ ବୋଲି ଅନୁମାନ କରାଯାଉଛି। ଯଦିଓ ସେମାନେ ନିଜ ସଂପର୍କକୁ ନେଇ ଏଯାଏ ନୀରବ ରହିଛନ୍ତି, ପ୍ରଶଂସକମାନେ କିନ୍ତୁ ସେମାନଙ୍କୁ ଶୁଭେଚ୍ଛା ଦେବା ଜାରି ରଖିଛନ୍ତି।

ପରିଣୀତି ଓ ରାଘବଙ୍କ ନିର୍ବନ୍ଧ ଉତ୍ସବରେ ପ୍ରାୟ ୧୫୦ ବନ୍ଧୁ ଓ ନିକଟତମ ସଂପର୍କୀୟ ଯୋଗ ଦେବେ ବୋଲି ସୂଚନା ରହିଛି। ପହରିଦିନ ତାଙ୍କୁ ମୁମ୍ବାଇର ଏକ ରେଷ୍ଟୁରାଣ୍ଟ୍‌କୁ ଡିନର୍‌ ଡେଟ୍‌ରେ ଯାଉଥିବାର ଦେଖିବାକୁ ମିଳିଛି। ସେମାନଙ୍କୁ ଏକତ୍ର ଦେଖିବା ପରେ ବାହାଘର କେବେ ବୋଲି କିଛି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ବି କରିଥିଲେ। ତେବେ ଏଯାଏ ବି ପରିଣୀତି ଓ ରାଘବ ସେମାନଙ୍କ ପ୍ରେମ ସଂପର୍କ କିମ୍ବା ନିର୍ବନ୍ଧ, ବିବାହ ଆଦି କୌଣସି ବି ବିଷୟରେ ପଦୁଟିଏ କହିନାହାନ୍ତି।

ସମ୍ବନ୍ଧିତ ଖବର