ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ: ମୁଖ୍ୟମନ୍ତ୍ରୀ

ନୀତୀଶଙ୍କ ସହ ଭେଟ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା

ଭୁବନେଶ୍ବର: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ଏହି ସାକ୍ଷାତ ଅବସରରେ କୌଣସି ପ୍ରକାରର ରାଜନୈତିକ ଆଲୋଚନା ହୋଇନାହିଁ ବୋଲି ନବୀନ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି।  ବିହାର ଭବନ ନିର୍ମାଣ ଲାଗି ରାଜ୍ୟ ସରକାର ଦେଢ଼ ଏକର ଜାଗା ବିହାର ସରକାରଙ୍କୁ ମାଗଣାରେ ପ୍ରଦାନ କରିବେ। ବିହାରର ‌ଯେଉଁ ତୀର୍ଥଯାତ୍ରୀ  ଜଗନ୍ନାଥ ଦର୍ଶନ କରିବାକୁ ପୁରୀ ଆସୁଛନ୍ତି, ସେମାନେ ବିହାର ଭବନରେ ରହିପାରିବେ। ଆମେ ଦୁହେଁ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ କେନ୍ଦ୍ରମନ୍ତ୍ରୀ ଥିଲୁ। ମେଣ୍ଟ ନେଇ କୌଣସି ଆଲୋଚନା ହୋଇନାହିଁ ‌ବୋଲି ନବୀନ କହିଛନ୍ତି। ଠିକ୍ ସେହିପରି ନୀତୀଶ କୁମାର ମଧ୍ୟ ପୁରୁଣା ବନ୍ଧୁଙ୍କୁ ସାକ୍ଷାତ କରିବାକୁ ସେ ଆସିଥିଲେ ବୋଲି ଗଣମାଧ୍ୟମ ପ୍ରତିନିଧୀଙ୍କୁ ସୂଚନା ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚି ସିଧାସଳଖ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନବୀନ ନିବାସକୁ ଯାଇଥିଲେ। ସେଠାରେ ମଧ୍ୟାହ୍ନ ଭୋଜନ କରିବା ସହ ନବୀନଙ୍କ ସହ ପ୍ରାୟ ଦେଢ଼ ଘଣ୍ଟା ସମୟ ବିତାଇଥିଲେ। ଏହାପରେ ଦୁଇ ନେତା ମିଳିତ ଭାବେ ଗଣମାଧ୍ୟମରେ ବିବୃତି ରଖିଥିଲେ।

ଏଣେ ଦେଶର ସମସ୍ତ ଅଣ ବିଜେପି ଦଳକୁ ଏକାଠି କରି ବିରୋଧୀଙ୍କ ମହାମେଣ୍ଟ ଗଠନ କରିବା ଉଦ୍ୟମରେ ଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି କୁହାଯାଉଥିଲା। ନବୀନ-ନୀତୀଶଙ୍କ ଭେଟଘାଟକୁ ନେଇ ରାଜ୍ୟ ରାଜନୀତି ଠାରୁ ଜାତୀୟ ରାଜନୀତି ଅଧିକ ଚଳଚଞ୍ଚଳ ହୋଇ ଉଠିଥିଲା। କିନ୍ତୁ ଦୁହେଁ ଏହି ପ୍ରସଙ୍ଗକୁ ଚତୁରତାର ସହ ଏଡ଼ାଇ ଦେଇଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର