ଏହି ସଂକ୍ରମଣର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ମୁରଲୀ

ହାଇଦ୍ରାବାଦ: କରୋନା ଭୂତାଣୁ ସଂକ୍ରମଣ ପୁଣି ଥରେ ଦେଶରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସିନେମା ଜଗତରେ ଅନେକ ତାରକା କୋଭିଡ ପଜିଟିଭ ହୋଇଥିବା ଖବର ସାମ୍ନାକୁ ଆସି ସାରିଛି। କିନ୍ତୁ ବର୍ତ୍ତମାନ କରୋନା ସାଉଥ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିବା ଜଣାପଡ଼ିଛି। ଜଣାଶୁଣା ତେଲୁଗୁ ଚଳଚ୍ଚିତ୍ର ଅଭିନେତା ତଥା ଲେଖକ ପୋସାନି କୃଷ୍ଣ ମୁରଲୀ ତୃତୀୟ ଥର ପାଇଁ କୋଭିଡ୍ ପଜିଟିଭ୍ ଥିବା ଖବର ସାମ୍ନାକୁ ଆସୁଛି। ସ୍ବାସ୍ଥ୍ୟାବସ୍ଥା ଅଧିକ ବିଗିଡିବାରୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ, ସାଉଥ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ହାସ୍ୟ ଅଭିନେତା ଭାବେ ଜଣାଶୁଣା ପୋସାନି କୃଷ୍ଣ ମୁରଲୀ ପୁଣେରେ ସୁଟିଂ ଶେଷ କରି ହାଇଦ୍ରାବାଦକୁ ଫେରିବା ପରେ ଅସୁସ୍ଥ ଅନୁଭବ କରିଥିଲେ। କରୋନା ସଂକ୍ରମଣର ଲକ୍ଷଣ ଦେଖାଯିବା ପରେ ତାଙ୍କର ଆରଟି-ପିସିଆର ପରୀକ୍ଷା କରାଯାଇଥିଲା। ପରୀକ୍ଷା ରିପୋର୍ଟ ପଜେଟିଭ ଆସିବା ପରେ ପୋସାନି ତୁରନ୍ତ ତାଙ୍କ ପରିବାରଠାରୁ ଅଲଗା ରହି ନିଜକୁ କ୍ବାରେଣ୍ଟାଇନ କରିଥିଲେ। ‌ହେଲେ ପରେ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ, ଅଭିନେତା ତୃତୀୟ ଥର ପାଇଁ କରୋନା ସଂକ୍ରମିତ ହୋଇଛନ୍ତି। ଏପର୍ଯ୍ୟନ୍ତ ତାଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ କୌଣସି ଅଧିକାରୀକ ସୂଚନା ଡାକ୍ତରଖାନା ପକ୍ଷରୁ ଦିଆଯାଇନାହିଁ।

ସମ୍ବନ୍ଧିତ ଖବର