ମଧ୍ୟପ୍ରଦେଶ : ଗୋହତ୍ୟା ସଂଦେହରେ ୨ ଆଦିବାସୀଙ୍କୁ ପିଟି ପିଟି ମାରିଦେଲେ

ଭୋପାଳ : ଗୋହତ୍ୟା ସଂଦେହରେ ଦୁଇଜଣ ଆଦିବାସୀଙ୍କୁ ପିଟି ପିଟି ହତ୍ୟା କରିଦେଇଛନ୍ତି ପ୍ରାୟ ୨୦ରୁ ଅଧିକ ଲୋକ । ଘଟଣାଟି ଘଟିଛି ମଧ୍ୟପ୍ରଦେଶର ସିଓନି ଜିଲ୍ଲାରେ ।

ମିଳିଥିବା ସୂଚନା ଅନୁସାରେ ୨୦ରୁ ଅଧିକ ଉତ୍ୟକ୍ତ ଲୋକ ଆଦିବାସୀଙ୍କ ଘରକୁ ଯାଇ ସେମାନଙ୍କ ଉପରେ ଗୋହତ୍ୟା ଅଭିଯୋଗ ଲଗାଇଥିଲେ । ଏହି ଅଭିଯୋଗରେ ସେମାନେ ଦୁଇ ଜଣ ଆଦିବାସୀଙ୍କୁ ପିଟି ପିଟି ମାରିଦେଇଥିଲେ । ଏହି ଆକ୍ରମଣରେ ଆଉ ଜଣେ ଆଦିବାସୀ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛି ।

ଏହି ହତ୍ୟାକାଣ୍ଡର ଖବର ମିଳିବା ପରେ ଘଟଣାସ୍ଥଳରେ ସିଓନି ଏସପି ଓ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀମାନେ ପହଞ୍ଚି ତଦନ୍ତ ଚଳାଇଛନ୍ତି । ପୁଲିସ ଏହି ଘଟଣାରେ ୨୦ ଜଣ ଲୋକଙ୍କ ନାଁରେ ମାମଲା ରୁଜ୍ଜୁ କରିଛି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ।

ଅନ୍ୟପକ୍ଷରେ ଏହି ଘଟଣା ବିରୋଧରେ କଂଗ୍ରେସ ବିଧାୟକ ଅର୍ଜୁନ ସିଂ କାକୋଦିଆ ଜବଲପୁର-ନାଗପୁର ଜାତୀୟ ରାଜପଥରେ ଧାରଣାରେ ବସିଛନ୍ତି ।

ଏ ସଂପର୍କରେ ସିଓନିର ଅତିରିକ୍ତି ପୁଲିସ ଅଧୀକ୍ଷକ ଏସକେ ମାରାଓ୍ବି କହିଛନ୍ତି ଯେ ଏହି ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜ୍ଜୁ କରାଯାଇଛି ଓ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରି ଧରିବାକୁ ଉଦ୍ୟମ କରାଯାଉଛି । କେତେଜଣ ଅଭିଯୁକ୍ତଙ୍କୁ ଇତି ମଧ୍ୟରେ ଚିହ୍ନଟ କରାଯାଇଥିବା ସେ କହିଛନ୍ତି ।

ସମ୍ବନ୍ଧିତ ଖବର