ହରିୟାଣା : ପୁଲିସର ଲାଠିମାଡ଼ ପ୍ରତିବାଦରେ ଜାତୀୟ ରାଜପଥ ବନ୍ଦ କଲେ କୃଷକ

ଚଣ୍ଡିଗଡ଼ : ହରିୟାଣାର କର୍ନାଲରେ କୃଷକମାନଙ୍କ ଉପରେ ପୁଲିସର ଲାଠିମାଡ଼ ପ୍ରତିବାଦରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ କୃଷକ ସଂଗଠନ । ସେମାନେ ରାଜ୍ୟର ବିଭିନ୍ନ ରାସ୍ତାକୁ ବନ୍ଦ କରିଦେବା ଫଳରେ ପରିବହନ ପ୍ରଭାବିତ ହୋଇଛି ।

କୃଷକମାନଙ୍କ ରାସ୍ତାରୋକ ଫଳରେ ୩ ନମ୍ବର ଜାତୀୟ ରାଜପଥ, ଦିଲ୍ଲୀ-ଅମୃତସର ରାଜପଥରେ ଟ୍ରାଫିକ ଜାମ୍ ହୋଇଛି । ଏହା ସହିତ ଟ୍ରାଫିକ ଜାମ ଯୋଗୁଁ ଅମ୍ବାଲା ରୋଡରେ ଥିବା ଶମ୍ଭୁ ଟୋଲ ପ୍ଲାଜା ମଧ୍ୟ ଅଚଳ ହୋଇଯାଇଛି । ରାସ୍ତାର ଦୁଇ ପାଖରେ ଶହ ଶହ ଗାଡ଼ି ଅଟକି ରହିଥିବାବେଳେ କୃଷକମାନେ ଖଟିଆ ପକାଇ ରାସ୍ତା ଉପରେ ବସିରହିଛନ୍ତି ।

ସୂଚନାଯୋଗ୍ୟ ଯେ, କର୍ନାଲଠାରେ କେତେକ କୃଷକ ରାଜ୍ୟ ବିଜେପି ସଭାପତି ଓ.ପି.ଧନକରଙ୍କ ଗାଡ଼ିକୁ ଅଟକାଇବାବେଳେ ପୁଲିସ ସହ ସେମାନଙ୍କର ଯୁକ୍ତିତର୍କ ହୋଇଥିଲା । କର୍ନାଲର ବିଜେପି କର୍ମୀ ଓ ଜନପ୍ରତିନିଧିମାନଙ୍କୁ ଭେଟିବାକୁ ସେ ଯାଉଥିଲେ । ତାଙ୍କ ଗାଡ଼ି କର୍ନାଲ ଓ ପାନିପଥ ମଧ୍ୟରେ ଥିବା ବସ୍ତାରା ଟୋଲ ପ୍ଲାଜା ଅତିକ୍ରମ କରୁଥିବାବେଳେ କୃଷକମାନେ ତାଙ୍କ କାର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏହା ପରେ ପୁଲିସ କୃଷକମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ଏହି ଘଟଣାର ପ୍ରତିବାଦରେ କୃଷକ ସଂଗଠନଗୁଡ଼ିକ ରାସ୍ତାରୋକ କରୁଛନ୍ତି ।

ସମ୍ବନ୍ଧିତ ଖବର