ଅନ୍ଧବିଶ୍ବାସ କବଳରେ ଆଦିବାସୀ: ଦେହସାରା ଘା’, ଚିକିତ୍ସା ବଦଳରେ ଚାଲିଛି ଝଡ଼ାଫୁଙ୍କା

ଦୁଇ ହାତ ସହ ସାରା ଶରୀରକୁ ମାଡ଼ି ଗଲାଣି ଘା’

ରାୟଗଡ଼ା: ମେଡ଼ିକାଲ୍ ନେଲେ ମା’ ଠାକୁରାଣୀ ରାଗିବ। ଇଞ୍ଜେକସନ୍ କିମ୍ବା ଔଷଧ ଖାଇଲେ ବଡ଼ ଅସୁବିଧା ହୋଇଯିବ। ଝଡାଫୁଙ୍କା କଲେ ମା’ ଶାନ୍ତ ହେବ। ପିଲାର ଘା’ ଭଲ ହୋଇଯିବ। ଅନ୍ଧ ବିଶ୍ବାସର ବଶଭର୍ତ୍ତୀ ହୋଇ ୪ ମାସ ହେଲା ଘା’ ଯନ୍ତ୍ରଣାରେ ଆକ୍ରାନ୍ତ ଯୁବକଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲ୍ ନେଉ ନାହାନ୍ତି ପରିବାର ଲୋକ। ଫଳରେ ହାତରୁ ଆରମ୍ଭ ହୋଇଥିବା ଘା’ ଏବେ ସାରା ଶରୀରକୁ ମାଡ଼ି ଗଲାଣି।

ରାୟଗଡ଼ା ବ୍ଲକ୍ ବାଇସିଂ ପଞ୍ଚାୟତ ପୂଜାରୀବମ୍ବୁ ଗାଁର ରାଜ୍ୟ ଜିଲାକାର। ବୟସ ୧୭ ବର୍ଷ। ଗତ ୪ ମାସ ତଳେ ରାଜ୍ୟଙ୍କ ହାତରେ ଏକ ଫୋଟକା ଭଳି ଘା’ ବାହାରିଥିଲା। କିଛି ଦିନ ପରେ ଫୋଟକା ସଂଖ୍ୟା ବଢ଼ିବା ପରେ ପରିବାର ଲୋକ ରାଜ୍ୟକୁ ଠାକୁରାଣୀ ଲାଗିଛି ବୋଲି ଭାବି ଝଡାଫୁଙ୍କା ଆରମ୍ଭ କଲେ। ଠିକ୍ ଚିକିତ୍ସା ଓ ମେଡ଼ିସିନ୍ ଅଭାବରୁ ଦୁଇ ହାତ ପାପୁଲି ସାରା ଫୋଟକା ଭର୍ତ୍ତି ହେବା ପରେ ମଧ୍ୟ ପରିବାର ଲୋକ ରାଜ୍ୟକୁ ମେଡ଼ିକାଲ୍ ନେବା ପାଇଁ ମନା କରି ଦେଇଥିଲେ। ରାଜ୍ୟଙ୍କ ମାଆ ଧାଇମଣି ଜିଲାକାରା ଗାଁ ଦିଶାରୀକୁ ଡାକି ଧୂପ, ଝୁଣା ଦେଇ ମନ୍ତ୍ର ପାଠ କରି ନିମ୍ବ ଡାଳରେ ହାତକୁ ଝାଡ଼ିଥିଲେ।

ଏମିତି ଗତ ୪ ମାସ ହେଲା ଝଡାଫୁଙ୍କା ଚାଲିଥିବାରୁ ରାଜ୍ୟଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ଶରୀର ସାରା ଘା’ ଫୋଟକା ଭର୍ତ୍ତି ହୋଇ ଯାଇଥିବାରୁ ରାଜ୍ୟ ଚଲାବୁଲା କରିପାରୁନାହାନ୍ତି। ଖଟିଆରେ ପଡି ରହିଛନ୍ତି। ମେଡ଼ିକାଲ୍ ନେଇ ଇଞ୍ଜେକସନ୍ ଦେଲେ ପିଲା ମରିଯିବ ଭାବି ପରିବାର ଲୋକ ଝଡାଫୁଙ୍କାକୁ ବିଶ୍ବାସ କରି ଚାଲିଛନ୍ତି। ପ୍ରତିଦିନ ସଂଧ୍ୟାରେ ଝୁଣା ଦେଇ ନିମ୍ବପତ୍ରରେ ପୁରା ଶରୀରକୁ ଝାଡୁଛି ଦିଶାରି। ଘର ଭିତରକୁ ପରିବାର ଲୋକ କାହାକୁ ଛାଡୁନଥିବାରୁ ଗାଁର ଅଙ୍ଗନବାଡ଼ି କର୍ମୀ, ସ୍ବାସ୍ଥ୍ୟ କିମ୍ବା ଆଶା କର୍ମୀ ଏ ସଂପର୍କରେ ଜାଣି ପାରୁନାହାନ୍ତି। ଆକ୍ରାନ୍ତ ରାଜ୍ୟଙ୍କ ପରିବାର ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ମେଡ଼ିସିନ୍ ଅପେକ୍ଷା ଝଡାଫୁଙ୍କାକୁ ଅଧିକ ବିଶ୍ବାସ କରୁଛନ୍ତି। ଏହି ଅଞ୍ଚଳରେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା ଲୋକ ମେଡ଼ିକାଲ୍ ବଦଳରେ ଝଡାଫୁଙ୍କା ଉପରେ ହିଁ ଅଧିକ ନିର୍ଭର କରୁଛନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ରାଜ୍ୟକୁ ଘରୁ ଉଦ୍ଧାର କରି ମେଡ଼ିକାଲ ଆଣି ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ଦାବି ହୋଇଛି।

 

ସମ୍ବନ୍ଧିତ ଖବର