୧୨୫ ବର୍ଷ ବୟସ୍କ କଇଁଛ ‘ଚାଣକ୍ୟ’ର ମୃତ୍ୟୁ

ହାଇଦ୍ରାବାଦ: ହାଇଦ୍ରାବାଦର ପ୍ରସିଦ୍ଧ ନେହରୁ ପ୍ରାଣୀ ଉଦ୍ୟାନରେ ଏକ ବିଶାଳ ବୃଦ୍ଧ କଇଁଛ ‘ଚାଣକ୍ୟ’ର ମୃତ୍ୟୁ ଘଟିଛି। ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ ୧୨୫ ବର୍ଷୀୟ ଚାଣକ୍ୟର ବୟସଜନିତ ସମସ୍ୟା ଯୋଗୁଁ ମୃତ୍ୟୁ ଘଟିଛି। ଗତ ୧୦ ଦିନ ହେଲା ସେ ଖାଇବା ବନ୍ଦ କରିଦେଇଥିଲା। ଏହାକୁ ନେଇ ଚିଡ଼ିଆଖାନା କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଥିଲେ। ଏହି ଚିଡ଼ିଆଖାନା ଉଦ୍‌ଘାଟନ ପରଠାରୁ ‘ଚାଣକ୍ୟ’ ଦର୍ଶକଙ୍କ ପାଇଁ ଅନ୍ୟତମ ପ୍ରମୁଖ ଆକର୍ଷଣ ଥିଲା। ଚିଡ଼ିଆଖାନା ଅଧିକାରୀଙ୍କ କହିବା ଅନୁଯାୟୀ ଚାଣକ୍ୟକୁ ମିଠା ଆଳୁ ଓ ପାଳଙ୍ଗ ବହୁତ ପସନ୍ଦ ଥିଲା। ଗତ କିଛି ଦିନ ହେଲା, ସେ କିଛି ଖାଇନଥିବାରୁ ସମସ୍ୟା ବଢ଼ିଥିଲା। ଶନିବାର ସକାଳେ ଚିଡ଼ିଆଖାନାର କର୍ମଚାରୀମାନେ ପରିସର ସଫା କରିବାକୁ ଯାଇଥିବା ବେଳେ ଦେଖିଥିଲେ ଯେ ଶୋଇଥିବା ଅବସ୍ଥାରେ ଚାଣକ୍ୟର ମୃତ୍ୟୁ ଘଟିଛି। ସୂଚନାଯୋଗ୍ୟ, ଏହି କଇଁଛ ନେହରୁ ପ୍ରାଣୀ ଉଦ୍ୟାନରେ ୧୯୬୩ ମସିହାରେ ପହଞ୍ଚିଥିଲା। ୧୯୬୩ ମସିହାରେ ନାମପଲ୍ଲୀର ସର୍ବସାଧାରଣ ବଗିଚା (ବାଗ-ଏ-ଆମ୍)ରୁ ତାକୁ ଅଣାଯାଇଥିଲା। ଏହାପରେ ହାଇଦ୍ରାବାଦ ଚିଡ଼ିଆଖାନା ସ୍ଥାପନ ହେବାପରେ ସେଠାକୁ ସ୍ଥାନାନ୍ତର ହୋଇଥିଲା। ଚାଣକ୍ୟର ମୃତ୍ୟୁ ପରିବେଶ ଓ ଜୀବପ୍ରେମୀଙ୍କ ପାଇଁ ଏକ ଦୁଃଖଦ ଖବର ପାଲଟିଛି।

ସମ୍ବନ୍ଧିତ ଖବର