୧୧ଶହ ଅପରାଧୀଙ୍କୁ ବାନ୍ଧିବ ପୁଲିସ: ୭୮୫ ବନ୍ଧୁକ ଫେରସ୍ତ ପ୍ରକ୍ରିୟା ଆରମ୍ଭ

ଦିନକୁ ୧୦ ମଦ ମାମଲା ଟାର୍ଗେଟ୍, ସାଧାରଣ ନିର୍ବାଚନ ପାଇଁ ସଜବାଜ

କଟକ: କଟକ କମିସନରେଟ୍ ପୁଲିସରେ ସାଧାରଣ ନିର୍ବାଚନ ପୂର୍ବରୁ ଅପରାଧିକ କାର୍ଯ୍ୟକଳାପ ଦମନ କରିବାକୁ ରଣନୀତି ପ୍ରସ୍ତୁତ ହେଲାଣି। ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ୧ ହଜାର ଅପରାଧୀଙ୍କୁ ବନ୍ଧାଯିବ। ଏଥିପାଇଁ ଡିସିପି ଅଫିସ ପକ୍ଷରୁ ପ୍ରତ୍ୟେକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସାଧାରଣ ନିର୍ବାଚନ ସମୟରେ ଏହି ଅପରାଧିକ ତତ୍ତ୍ବ ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ରହିଛି। ସେଥିପାଇଁ ଏଭଳି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। କଟକ କମିସନରେଟ୍ ପୁଲିସ୍‌ରେ ୯୫୦ ଏନ୍‌ବିଡବ୍ଲୁ (ଜାମିନବିହୀନ ଗିରଫ ପରଵାନା) ପଡ଼ି ରହିଛି। ଫେରାର ଅପରାଧୀଙ୍କ ବିରୋଧରେ କୋର୍ଟ ଏନ୍‌ବିଡବ୍ଲୁ ଜାରି କରାଯାଇଛି। ତେଣୁ ଏହି ଅପରାଧୀମାନଙ୍କୁ ବାନ୍ଧିବାକୁ ପୁଲିସ ପ୍ରତ୍ୟେକ ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ସିଆର୍‌ପିସିରି ଧାରା ୧୧୦ରେ ପେସାଦାର ଅପରାଧୀଙ୍କୁ ପୁଲିସ ଗିରଫ କରିବା ପାଇଁ ଡିସିପି ଅଫିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଏଥିପାଇଁ ୧୫୦ ଅପରାଧୀଙ୍କ ତାଲିକା ପ୍ରସ୍ତୁତ ହୋଇଛି। ସିଆର୍‌ପିସିର ଧାରା ୧୦୭ରେ ବୁଥଵାରୀ ଅପରାଧୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଅସାମାଜିକ ତତ୍ତ୍ବ ବୁଥ୍‌ରେ କୌଣସି ବିଶୃଙ୍ଖଳା ସୃଷ୍ଟି କରିବାର ଆଶଙ୍କା ରହିଛି, ସେମାନଙ୍କୁ ଏହି ଦଫାରେ ଗିରଫ କରାଯିବ। ଥାନାଵାରୀ ଏଭଳି ଅସାମାଜିକ ତତ୍ତ୍ବଙ୍କ ତାଲିକା ପ୍ରସ୍ତୁତ କରାଯାଉଥିବା ବେଳେ ଏ ସଂକ୍ରାନ୍ତ ଏକ ଚୂଡ଼ାନ୍ତ ତାଲିକା ଡିସିପି ଅଫିସ ପକ୍ଷରୁ ଖୁବ୍‌ ଶୀଘ୍ର ଜାରି କରାଯିବ। ସେହିଭଳି ପ୍ରତିଦିନ କଟକ କମିସନରେଟ୍ ପୁଲିସରେ ପାଖାପାଖି ୧୦ଟି ମଦ କାରବାର ଜନିତ ମାମଲା ପଞ୍ଜୀକରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ ସମୟରେ ସାଧାରଣତଃ ଚୋରା ମଦ କାରବାର ଆଠଗଡ଼, ତିଗିରିଆ ଓ ବାଙ୍କୀ ଅଞ୍ଚଳରୁ କଟକ ସହରକୁ ଚାଲାଣ ହେବାର ଆଶଙ୍କା ଅଧିକ ଥିବାରୁ ସେହି ଏଥିପ୍ରତି ପୁଲିସର ସତର୍କତା ଅଧିକ ବଢ଼ିଯାଇଛି। କଟକକୁ ଗ୍ରାମାଞ୍ଚଳରୁ ଆସିବାକୁ ଥିବା ରାସ୍ତାଗୁଡ଼ିକ ସିଲ୍ କରି ଯାଞ୍ଚ ପ୍ରକ୍ରିୟା ଆରମ୍ଭ ହୋଇଛି।

ଅନ୍ୟପଟେ କଟକ କମିସନରେଟ୍ ପୁଲିସର ୧୯ଟି ଥାନା ଅଧୀନରେ ୭୮୫ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ଜାରି ହୋଇଛି। ଏହି ତାଲିକାରେ ବ୍ୟକ୍ତିଗତ ଭାବେ ଘରୋଇ ଲାଇସେନ୍ସଧାରୀ ଥିବା ବେଳେ ଆଉ କିଛି ବ୍ୟାଙ୍କ, ଏଟିଏମ୍ କାଉଣ୍ଟର୍‌ ଓ ଗହଣା ଦୋକାନ ମାଲିକ ବି ରହିଛନ୍ତି। ପୁଲିସ କମିସନର୍‌ଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିରେ କଟକ ଓ ଭୁବନେଶ୍ବର ଡିସିପି ଉପସ୍ଥିତ ରହି ଏ ସଂକ୍ରାନ୍ତରେ ବିଚାରବିମର୍ଶ କରାଯାଉଛି। କେଉଁ ଲାଇସେନ୍ସପ୍ରାପ୍ତ ବ୍ୟକ୍ତି ସେମାନଙ୍କ ନିକଟରେ ବନ୍ଧୁକ ରଖିବେ ଏବଂ କେଉଁମାନେ ଦାଖଲ କରିବେ, ସେ ନେଇ ତାଲିକା ଥାନାଵାରୀ ପ୍ରଦାନ କରାଯାଇଛି। ସେହିକ୍ରମରେ ପ୍ରତ୍ୟେକ ଥାନା ଅଞ୍ଚଳରେ ବନ୍ଧୁକ ଫେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁମାନଙ୍କ ଜୀବନ ପ୍ରତି ବିପଦ ରହିଛି କିମ୍ବା ଜରୁରୀକାଳୀନ ସେବାରେ ବନ୍ଧୁକ ଲାଇସେନ୍ସ ପ୍ରଦାନ କରାଯାଇଛି, କେବଳ ସେହି ବ୍ୟକ୍ତିମାନେ ଏହି ଲାଇସେନ୍ସପ୍ରାପ୍ତ ବନ୍ଧୁକ ନିଜ ନିକଟରେ ରଖିବେ। ଅନ୍ୟପଟେ ବିହାରର ମୁଙ୍ଗେର୍‌ରୁ ଚୋରା ବନ୍ଧୁକ କଟକ ସମେତ କେନ୍ଦ୍ରାପଡ଼ା, ଜଗତସିଂହପୁରକୁ କାରବାର ହେଉଛି। କଟକ ଦେଇ ପଡ଼ୋଶୀ ଜିଲ୍ଲାକୁ ଯାଉଥିବାରୁ ପୁଲିସ ଟାର୍ଗେଟ୍‌ରେ ଚୋରା ବନ୍ଧୁକ ମାଫିଆ ରହିଛନ୍ତି। ବିହାରକୁ ପୁଲିସର ଏକ ଟିମ୍ ଯିବାକୁ ଯୋଜନା କରୁଥିବା ବେଳେ ସେଠାରେ ଚୋରମଦ ମାଫିଆଙ୍କୁ ଧରିବାକୁ ପୁଲିସ କମିସନର୍‌ଙ୍କ ଅନୁମତି ମଗାଯାଇଛି। ସେମାନଙ୍କୁ ଖୁବ ଶୀଘ୍ର ଗିରଫ କରାଯିବାକୁ ଯୋଜନା ଚାଲିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର