୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ, ଚିହ୍ନଟ ପାଇଁ ହେବ ଡିଏନଏ ଟେଷ୍ଟ: ସୂତ୍ର

ବାୟୁସେନାର ହେଲିକପ୍ଟର ଦୁର୍ଘଟଣାବେଳେ କ'ଣ ଦେଖିଲେ ସ୍ଥାନୀୟ ଲୋକ, ଜାଣନ୍ତୁ

ଚେନ୍ନାଇ: ତାମିଲନାଡୁ କୁନ୍ନୁରଠାରେ ଦୁର୍ଘଟଣାର ଶିକାର ହୋଇଥିବା ବାୟୁସେନାର ହେଲିକପ୍ଟରକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି | ସୂତ୍ରରୁ ମିଳିଥିବା ତାଜା ସୂଚନା ମୁତାବକ ହେଲିକପ୍ଟରରେ ଯାଉଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଯାଇଛି | ତେବେ ମୃତଦେହ ଏଭଳି ଜଳିଯାଇଛି ଯେ ଚିହ୍ନଟ ପାଇଁ ଡିଏନଏ ଟେଷ୍ଟ କରାଯିବ | ଏହି ହେଲିକପ୍ଟରରେ ସିଡିଏସ ବିପିନ ରାୱତ ଓ ତାଙ୍କ ପରିବାର ଲୋକଙ୍କ ସହ ମୋଟ ୧୪ ଜଣ ଲୋକ ଥିଲେ । କୁହାଯାଉଛି କି ଘନ କୁହୁଡି କାରଣରୁ ଏଭଳି ଦୁର୍ଘଟଣା ଘଟିଛି । ଏପର୍ଯ୍ୟନ୍ତ ଏହି ଦୁର୍ଘଟଣାରେ ୧୩ ଜଣ ଲୋକ ପ୍ରାଣ ହରାଇଥିବା କୁହାଯାଉଛି । ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ଅଧିକାରୀ ଓ ସେନା ଅଧିକାରୀମାନେ ପହଞ୍ଚିଛନ୍ତି ।


ଏହି କ୍ରମରେ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲିକପ୍ଟରଟି ମାଟିରେ ପଡିବା ଆଗରୁ ୨-୩ ଜଣ ଯାତ୍ରୀ ହେଲିକପ୍ଟରରୁ ତଳକୁ ଡେଇଁ ପଡିଥିଲେ । ଏହାପରେ ଜୋରରେ ଏକ ଶବ୍ଦ ହୋଇଥିଲା । ଅନ୍ୟ ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ଯେ ହେଲିକପ୍ଟରରେ ନିଆଁ ଲାଗିବା ପରେ ଏହା ଖସିପଡିଥିଲା | ଏହାପରେ ସ୍ଥାନୀୟ ଲୋକମାନେ ଏକତ୍ରିତ ହୋଇ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ମୁତାବକ ଉଦ୍ଧାର ହୋଇଥିବା ସମସ୍ତ ଲୋକଙ୍କ ଶରୀର ୮୦ ପ୍ରତିଶତ ପୋଡି ଯାଇଛି ।

ଅନ୍ୟପଟେ ହେଲିକପ୍ଟରରେ ଥିବା ସିଡିଏସ ବିପିନ ରାୱତଙ୍କ ବାବଦରେ କୌଣସି ସ୍ପଷ୍ଟ ଖବର ମିଳିପାରି ନାହିଁ । ଭାରତୀୟ ବାୟୁସେନାର ବୟାନ ମୁତାବକ ଏହି ଘଟଣାର କୋର୍ଟ ଅଫ୍ ଇନକ୍ୱାରୀ ହେବ ।

ସମ୍ବନ୍ଧିତ ଖବର