‘କେ-ପପ୍‌’ ଦେଖିବାରୁ ଉତ୍ତର କୋରିଆର ୨ଜଣ ୧୬ ବର୍ଷୀୟ ଝିଅଙ୍କୁ ୧୨ ବର୍ଷ କଠିନ ଶ୍ରମଦଣ୍ଡ

ସିଓଲ୍‌: ଦକ୍ଷିଣ କୋରିଆରୁ ଉତ୍ପତ୍ତି ହୋଇଥିବା ‘କେ-ପପ୍’ (କୋରିଆନ୍‌ ପପୁଲାର୍‌ ମ୍ୟୁଜିକ୍‌) ଦେଖିବା କାରଣରୁ ୨ଜଣ ନାବାଳିକାଙ୍କୁ ସର୍ବସାଧାରଣରେ ଉତ୍ତର କୋରିଆ ସରକାରୀ କର୍ତ୍ତୃପକ୍ଷ ୧୨ ବର୍ଷ ପାଇଁ କଠିନ ଶ୍ରମ ଦଣ୍ଡାଦେଶ ଦେଇଥିବା କଥା ନିଉଜ୍‌ ଏଜେନ୍‌ସି ‘ବିବିସି’ ଓ ‘ରଏଟର୍ସ’ ରିପୋର୍ଟ କରିଛନ୍ତି।

ଏକଥା ଉତ୍ତର କୋରିଆ ବିଦ୍ରୋହୀମାନଙ୍କ ସହିତ କାମ କରୁଥିବା ସଙ୍ଗଠନ ‘ସାଉଥ୍‌ ଆଣ୍ଡ୍‌ ନର୍ଥ ଡେଭ୍‌ଲପ୍‌ମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍’ (ସ୍ୟାଣ୍ଡ୍‌) ରିଲିଜ୍‌ କରିଥିବା ଭିଡିଓରୁ ଜଣାପଡ଼ିଛି। ଭିଡିଓରେ ଦେଖାଯାଉଛି, ଦକ୍ଷିଣ କୋରିଆ ଚଳଚ୍ଚିତ୍ର, ମ୍ୟୁଜିକ୍‌ ଭିଡିଓ ଦେଖିଥିବା ଅଭିଯୋଗରେ ରାଜଧାନୀ ପ୍ୟୋଙ୍ଗ୍ୟାଙ୍ଗ୍‌ରେ ୨ଜଣ ୧୬ ବର୍ଷୀୟ ଝିଅଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ଦଣ୍ଡ ବିଧାନ କରାଯାଉଛି।

ଦକ୍ଷିଣ କୋରିଆ ମନୋରଞ୍ଜନ କାର୍ଯ୍ୟକ୍ରମ ଦେଖୁଥିବା କିଂବା ଦକ୍ଷିଣ କୋରୀୟମାନଙ୍କ କଥାବାର୍ତ୍ତା ଶୈଳୀ ଅନୁକରଣ କରୁଥିବା ବ‌େଳେ କୌଣସି ବ୍ୟକ୍ତି ଧରାପଡ଼ିଲେ କଠୋର ଦଣ୍ଡ ଭୋଗିବେ ବୋଲି ଦୀର୍ଘ ବର୍ଷ ହେବ ଉତ୍ତର କୋରିଆ ଆଇନ କରିଛି।

Image Courtesy of Pitchfork

‘ସ୍ୟାଣ୍ଡ୍‌’ର ଅଧ୍ୟକ୍ଷ ତଥା ଟୋକିଓ ବିଶ୍ବବିଦ୍ୟାଳୟରେ ‘ଡକ୍ଟର୍‌ ଅଫ୍‌ ପଲିଟିକାଲ୍‌ ସାଇନ୍‌ସ୍’ ଥିବା ଚୋଇ କ୍ୟୋଙ୍ଗ୍‌-ହୁଇ କହିଛନ୍ତି, କଠିନ ଦଣ୍ଡ ଦୃଷ୍ଟିରୁ ବିଚାର କଲେ ମନେହୁଏ ଯେ, ସାବଧାନ କରିବା ପାଇଁ ସମଗ୍ର ଉତ୍ତର ‌କୋରିଆବାସୀଙ୍କୁ ଏହି ଭିଡିଓ ପ୍ରଦର୍ଶନ କରାଯିବ । ଯଦି ଏକଥା ସତ୍ୟ, ତେବେ ଉତ୍ତର କୋରିଆ ସମାଜରେ ଦକ୍ଷିଣ କୋରିଆ ସଂସ୍କୃତିର ପ୍ରଚଳନ ଅଛି ବୋଲି ଧରିନେବାକୁ ପଡ଼ିବ।

ସୂଚନାଯୋଗ୍ୟ, ଉତ୍ତର କୋରିଆର ସରକାରୀ କର୍ତ୍ତୃପକ୍ଷମାନେ ପ୍ରସ୍ତୁତ କରିଥିବା ଉକ୍ତ ଭିଡିଓରେ ଦେଖାଯାଉଛି, ସର୍ବସାଧାରଣଙ୍କ ଉପସ୍ଥିତିରେ ବିଚାର ଚାଲିଛି। ଗୋଟାଏ ବିଶାଳ ମଞ୍ଚରେ ପ୍ରାୟ ୧୦୦୦ ଶିକ୍ଷାର୍ଥୀ ଉପସ୍ଥିତ ଅଛନ୍ତି। ସେମାନଙ୍କ ଆଗରେ ହାତକଡ଼ି ପଡ଼ିଥିବା ୨ଜଣ ଛାତ୍ରୀଙ୍କର ଅପରାଧ ବିଚାର କରାଯାଉଛି। ଦୁହେଁ ଦକ୍ଷିଣ କୋରୀୟ ପୋଷାକ ପିନ୍ଧିଛନ୍ତି ଓ ସେଭଳି କେଶବିନ୍ୟାସ କରିଛନ୍ତି। ଭିଡିଓରେ ବର୍ଣ୍ଣନାକାରୀ କହୁଛନ୍ତି, ବିଦେଶୀ ସଂସ୍କୃତିଦ୍ବାରା ପ୍ରଲୋଭିତ ହୋଇ ସେମାନେ ନିଜ ଜୀବନ ନଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର