୨୦୧୪-୨୩ ସବୁଠାରୁ ଉତ୍ତପ୍ତ ଦଶନ୍ଧି

ଜେନେଭା: ଜଳବାୟୁ ପରିବର୍ତ୍ତନଜନିତ ସଙ୍କଟ ଆଗକୁ ଭୀଷଣ ରୂପ ନେଇପାରେ ବୋଲି ଜାତିସଂଘ ସତର୍କ କରାଇ ଦେଇଛି। ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମୁଦ୍ର ଓ ଗ୍ଲେସିୟରରେ ରେକର୍ଡ ପରିମାଣର ବରଫ ନଷ୍ଟ ହୋଇଥିବାରୁ ୨୦୨୩ ସବୁଠାରୁ ଉତ୍ତପ୍ତ ବର୍ଷ ପାଲଟିଥିଲା। ଅନ୍ୟପକ୍ଷରେ ୨୦୧୪ରୁ ୨୦୨୩ ପର୍ଯ୍ୟନ୍ତ କ୍ରମାଗତ ଉତ୍ତାପ ବଢ଼ି ଚାଲିଥିବାରୁ ଏହା ସବୁଠାରୁ ଉତ୍ତପ୍ତ ଦଶନ୍ଧି ଭାବେ ବିବେଚିତ ହୋଇଛି। ଏହି ଦଶନ୍ଧିରେ ବିଶ୍ୱ ପୂର୍ବର ସମସ୍ତ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଛି ବୋଲି ଜାତିସଂଘ ଆଜି ସ୍ପଷ୍ଟ କରିଛି।

ମିଳିତ ଜାତିସଂଘର ବିଶ୍ୱ ପାଣିପାଗ ସଂଗଠନ ଏହାର ବାର୍ଷିକ ଜଳବାୟୁ ରିପୋର୍ଟ ଜାରି କରି କହିଛି ଯେ ୨୦୨୩ ଏପର୍ଯ୍ୟନ୍ତ ରେକର୍ଡ କରାଯାଇଥିବା ସବୁଠାରୁ ଉତ୍ତପ୍ତ ବର୍ଷ ଥିବାରୁ ଚଳିତ ବର୍ଷ ମଧ୍ୟ ବିଶ୍ବ ଏଭଳି ପ୍ରକୋପର ସମ୍ମୁଖୀନ ହୋଇପାରେ। ସମଗ୍ର ପୃଥିବୀ ଏକ ବିପର୍ଯ୍ୟୟ ଆଡ଼କୁ ମୁହାଁଇଥିବାରୁ ସବୁସ୍ତରରେ ପରିବେଶର ସୁରକ୍ଷା ପାଇଁ ପଦକ୍ଷେପ ଜରୁରୀ ବୋଲି ଜାତିସଂଘ କହିଛି। ଅଙ୍ଗାର ପ୍ରଦୂଷଣ ବିଭିନ୍ନ ରାଷ୍ଟ୍ରରେ ସୀମା ଟପିଛି।

ବିଶ୍ବ ପାଣିପାଗ ସଂଗଠନ କହିଛି ଯେ ଗତ ବର୍ଷ ହାରାହାରି ଭୂପୃଷ୍ଠର ତାପମାତ୍ରା ପ୍ରାକ୍-ଶିଳ୍ପ ସ୍ତରଠାରୁ ୧.୪୫ ଡିଗ୍ରି ସେଲସିୟସ ଅଧିକ ଥିଲା। ଏହା ବିପଜ୍ଜନକ ଭାବରେ ୧.୫ ଡିଗ୍ରି ସୀମାର ନିକଟତର ଥିଲା ଏବଂ ୨୦୧୫ ପ୍ୟାରିସ ଜଳବାୟୁ ଚୁକ୍ତିରେ ଏଭଳି ସ୍ଥିତିକୁ ଏଡ଼ାଇବା ନିମନ୍ତେ ପଦକ୍ଷେପ ପାଇଁ ସଦସ୍ୟ ରାଷ୍ଟ୍ରମାନେ ସଂକଳ୍ପବଦ୍ଧ ହୋଇଥିଲେ। ବିଶ୍ବ ଜଳବାୟୁ ସମ୍ମିଳନୀର ପ୍ରମୁଖ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ଦିଗରେ ପ୍ରମୁଖ ରାଷ୍ଟ୍ରଗୁଡ଼ିକ ଆନ୍ତରିକତାର ସହ କାମ କଲେ ହିଁ ସୁଫଳ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି।

ସମ୍ବନ୍ଧିତ ଖବର