ଦିଲ୍ଲୀ କ୍ବାରାଣ୍ଟିନ୍‌ ସେଣ୍ଟର୍‌ରୁ ୩୫ କରୋନା ସନ୍ଦିଗ୍ଧ ନିଖୋଜ

ନୂଆଦିଲ୍ଲୀ: ଦିଲ୍ଲୀର ୨ଟି ପୃଥକ୍‌ କ୍ବାରାଣ୍ଟିନ୍‌ ସେଣ୍ଟରରେ ଥିବା ପ୍ରାୟ ୩୫ରୁ ଅଧିକ କରୋନା ସନ୍ଦିଗ୍ଧ ନିଖୋଜ ହୋଇ ଯାଇଛନ୍ତି। ଦିଲ୍ଲୀର ସମସ୍ତ ଜିଲ୍ଲା ପୁଲସକୁ ଏନେଇ ସଚେତନ କରାଯାଇଛି ଏବଂ ଉକ୍ତ ଘଟଣାରେ ସର୍ଚ୍ଚ‌୍ ଅପରେସନ୍‌ ଆରମ୍ଭ ହୋଇଛି। ନିଖୋଜ କରୋନା ସନ୍ଦିଗ୍ଧଙ୍କୁ ଚିହ୍ନଟ କରିବାପାଇଁ ଦିଲ୍ଲୀ ପୁଲିସ ବିଭିନ୍ନ ଟିମ୍‌ ଗଠନ କରିଛି। ପୁଲିସ ଅନୁଯାୟୀ ଦିଲ୍ଲୀର ମୁଖାର୍ଜୀ ନଗର ଏବଂ ମଡେଲ୍‌ ଟାଉନ୍‌ର ଆଜାଦପୁର କଲୋନିରେ ଏହି ଘଟଣା ଘଟିଛି। ଏପ୍ରିଲ ୧୫ ତାରିଖରେ ମଡେଲ ଟାଉନ୍‌ର ଆଜାଦପୁର କଲୋନି ସ୍ଥିତ କ୍ବାରାଣ୍ଟିନ୍‌ ସେଣ୍ଟରରେ ୧୦୦ରୁ ଅଧିକ କରୋନା ସନ୍ଦିଗ୍ଧଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଗତ ମଙ୍ଗଳବାର ରାତିରେ ପ୍ରାୟ ୪ରୁ ୫ ଜଣ ଏଠାରୁ ନିଖୋଜ ହୋଇଯାଇଥିବା ଜଣାପଡ଼ିଛି। ସେହିପରି ଏପ୍ରିଲ ୧୬ ତାରିଖରେ ମୁଖାର୍ଜୀ ନଗର ଅଞ୍ଚଳ ସ୍ଥିତ କ୍ବାରାଣ୍ଟିନ୍‌ ସେଣ୍ଟରରେ ୧୨୫ରୁ ଅଧିକ କରୋନା ସନ୍ଦିଗ୍ଧଙ୍କୁ ରଖାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩୦ରୁ ଅଧିକ ନିଖୋଜ ହୋଇ ଯାଇଛନ୍ତି। ଦିଲ୍ଲୀ ପୁଲିସ ସୂଚନାନୁଯାୟୀ ନିଖୋଜ କରୋନା ସନ୍ଦିଗ୍ଧଙ୍କ ମଧ୍ୟରେ କିଛି ନେପାଳୀ ମଧ୍ୟ ଅଛନ୍ତି। ଉକ୍ତ ଘଟଣାରେ ଏବେ ତଦନ୍ତ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର