କୋଭିଡ୍-୧୯ ଯୋଗୁଁ ୯୯ ଜଣ ଡାକ୍ତର ମୃତ; ୧୩୦୦ରୁ ଅଧିକ ଆକ୍ରାନ୍ତ

ମୁମ୍ବାଇ: ଭାର‌ତରେ କୋଭିଡ୍-୧୯ରେ ଆକ୍ରାନ୍ତ ହୋଇ ୯୯ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି ଏବଂ ୧୩୦୨ରୁ ଅଧିକ ଡାକ୍ତର ସଂକ୍ରମଣ ଦ୍ବାରା ପ୍ରଭାବିତ ହୋଇଥିବା କଥା ବୁଧବାର ଦିନ ‘ଇଣ୍ଡିଆନ୍ ମେଡିକାଲ୍‌ ଆସୋସିଏସନ୍’ (ଆଇଏମ୍ଏ) କହିଛି।

ଡାକ୍ତରୀ ସଂଘ ‘ଆଇଏମ୍ଏ’ କହିଛି ଯେ, ଦେଶରେ କୋଭିଡ୍-୧୯ଜନିତ ଡାକ୍ତର ମୃତ୍ୟୁହାର ହେଉଛି ୮%। ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ୨୦% ଡାକ୍ତର ଏଥିଯୋଗୁଁ ଜୀବନ ହରାଇଛନ୍ତି।

ସଂକ୍ରମିତ ସ୍ବାସ୍ଥ୍ୟସେବା କର୍ମୀମାନଙ୍କର ଡକ୍ୟୁମେଣ୍ଟେସନ୍ ପାଇଁ ‘ଆଇଏମ୍ଏ’ ଏକ ଡାଟାବେସ୍ ପ୍ରସ୍ତୁତ କରିଥିଲା ବୋଲି କହିଛି। ‘ଆଇଏମ୍ଏ’ର ନ୍ୟାସ୍‌ନାଲ୍ କୋଭିଡ୍ ରେଜିଷ୍ଟ୍ରି ଅନୁସାରେ, ୫୦ ବର୍ଷରୁ ଊର୍ଦ୍ଧ୍ବ ବୟସ ମଧ୍ୟରେ ୭୪% ଡାକ୍ତରଙ୍କ ମୃତ୍ୟୁ ଘଟିଥିବା ବେଳେ ୩୫ ରୁ ୫୦ ବର୍ଷ ବୟସ ମଧ୍ୟରେ ୧୯% ଡାକ୍ତରଙ୍କର ମୃତ୍ୟୁ ହୋଇଛି। ‘ଆଇଏମ୍ଏ’ର ଏହି ତଥ୍ୟ କେବଳ ଘରୋଇ ସେକ୍ଟର୍‌ରେ କାମ କରୁଥିବା ଡାକ୍ତରମାନଙ୍କ ଉପରେ ଆଧାରିତ। ସରକାରୀ କ୍ଷେତ୍ରରେ କାମ କରୁଥିବା ଡାକ୍ତରମାନଙ୍କ କଥା ଏଥିରେ ସାମିଲ କରାଯାଇ ନାହିଁ। ସମୁଦାୟ ୧,୨୦୨ ସଂକ୍ରମିତଙ୍କ ମଧ୍ୟରୁ ୫୮୬ ଜଣ ଘରୋଇ କନ୍ସଲ୍‌ଟାଣ୍ଟ୍‌, ୫୬୬ଜଣ ରେସିଡେଣ୍ଟ୍‌ ଡକ୍ଟର୍ ଏବଂ ୧୫୦ଜଣ ହାଉସ୍ ସର୍ଜନ୍।

Image Courtesy of The Times of India

‘ଆଇଏମ୍ଏ’ର ଅଧ୍ୟକ୍ଷ ଡାକ୍ତର ରାଜନ ଶର୍ମା କହିଛନ୍ତି, ଯଦି କୋଭିଡ୍‌ଜନିତ ମୃତ୍ୟୁହାର ହ୍ରାସ କରିବାକୁ ହେଲେ ପ୍ରଥମେ ଡାକ୍ତର ଓ ଡାକ୍ତରଖାନାରୁ ତାହା ଆରମ୍ଭ ହେବା ଉଚିତ।

ମୁମ୍ବାଇରେ ସରକାରୀ ଓ ଘରୋଇ ଡାକ୍ତରଖାନାରେ ୧୦୦୦ରୁ ଅଧିକ ସ୍ବାସ୍ଥ୍ୟସେବା କର୍ମୀ କୋଭିଡ୍-୧୯ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ‘କେଇଏମ୍’ ଏବଂ ‘ସାଇଅନ୍’ ଡାକ୍ତରଖାନାରେ ୩୦୦ ଲେଖାଏଁ ସ୍ବାସ୍ଥ୍ୟସେବା କର୍ମୀ ସଂକ୍ରମିତ ହୋଇଛନ୍ତି। ମୁମ୍ବାଇରେ ୯ ଜଣ ଡାକ୍ତରଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର