ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତ୍ତିଲା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ

ତିରୁବନନ୍ତପୁରମ: ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆଜି ଏୟାର ଇଣ୍ଡିଆ ଏକ୍ସପ୍ରେସର ଏକ ବିମାନ ଜରୁରୀ ଅବତରଣ କରିଛି | ଆକାଶରେ ଥିବାବେଳେ ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା | ଯାହାଫଳରେ ପାଇଲଟ ତୁରନ୍ତ ତିରୁବନନ୍ତପୁରମ ବିମାନବନ୍ଦରରେ ଅବତରଣ କରାଇଥିଲେ, ଆଉ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ୧୦୪ ଜଣ ଯାତ୍ରୀଙ୍କ ଜୀବନ ବର୍ତ୍ତିଯାଇଛି |

ମିଳିଥିବା ସୂଚନା ମୁତାବକ ଦୁବାଇର ଶାରଜାହାଠାରୁ କେରଳର କାଲିକଟକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସର ବୋଇଙ୍ଗ ୭୩୭ ବିମାନରେ କିଛି ଗୁରୁତର ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା | ଯେଉଁ କାରଣରୁ ପାଇଲଟ ତିରୁବନନ୍ତପୁରମ ବିମାନବନ୍ଦରରେ ବିମାନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ। ବିମାନଟିରେ ୧୦୪ ଜଣ ଯାତ୍ରୀ ଥିବାବେଳେ ଯାନ୍ତ୍ରିକ ତ୍ରୁଟିକୁ ଦୃଷ୍ଟିରେ ରଖି ବି କାଟାଗୋରି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା।


ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ (ଏଏଆଇ) ସମସ୍ତ ଏଜେନ୍ସିକୁ ସଚେତନ କରାଇଥିଲା। ବିମାନଟି ନିରାପଦରେ ଅବତରଣ କରିବା ପରେ ସମସ୍ତ ଯାତ୍ରୀଙ୍କୁ ବିମାନବନ୍ଦରର ଟର୍ମିନାଲ-୨ କୁ ସ୍ଥାନାନ୍ତର କରାଯାଇଥିଲା। ବିମାନଟି ବିମାନବନ୍ଦର ବାହାରେ ପାର୍କିଂ କରାଯାଇଥିଲା ଏବଂ ପରେ ଇଞ୍ଜିନିୟରମାନେ ବିମାନଟି ପରୀକ୍ଷା କରିଥିଲେ। ତେବେ ତ୍ରୁଟି ବାବଦରେ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ |

ସମ୍ବନ୍ଧିତ ଖବର