କ୍ରୁ ସେଫ୍‌ଟି ଗାଇଡଲାଇନ ଉଲ୍ଲଂଘନ ମହଙ୍ଗା ପଡ଼ିଲା; ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ବିମାନ ଡ୍ୟୁଟି ସମୟ ସୀମା ଏବଂ ଫ୍ଲାଇଟ୍‌ କ୍ରୁଙ୍କ ଥକାପଣ ପରିଚାଳନା ବ୍ୟବସ୍ଥା ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ କରିଥିବାରୁ ବିମାନ ଚଳାଚଳ ନିୟନ୍ତ୍ରକ ସଂସ୍ଥା ଏୟାର ଇଣ୍ଡିଆକୁ ୮୦ ଲକ୍ଷ ଟଙ୍କା ଜରିମାନା କରିଛି।
ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଜାନୁଆରି ମାସରେ ଏୟାର ଇଣ୍ଡିଆର ସ୍ପଟ୍‌ ଅଡିଟ୍‌ କରିବା ପରେ ଏହି ଉଲ୍ଲଂଘନ ପଦାକୁ ଆସିଥିଲା।

ରିପୋର୍ଟ ଏବଂ ପ୍ରମାଣର ବିଶ୍ଳେଷଣରୁ ଜଣାପଡିଛି ଯେ ମେସର୍ସ ଏୟାର ଇଣ୍ଡିଆ ଲିମିଟେଡ୍‌ ୬୦ ବର୍ଷରୁ ଅଧିକ ବୟସର ଉଭୟ ବିମାନ କର୍ମଚାରୀଙ୍କୁ ଏକାଠି ଉଡ଼ାଣ କରୁଥିବା ବେଳେ କେତେକ କ୍ଷେତ୍ରରେ ବିମାନ ଚଳାଚଳ ନିୟମକୁ ଉଲ୍ଲଂଘନ କରିଥିଲା। ଯାହା ବିମାନ ଚଳାଚଳ ନିୟମ, ୧୯୩୭ର ନିୟମ ୨୮ଏର ଉପନିୟମ (୨)ର ଉଲ୍ଲଂଘନ ପର୍ଯ୍ୟାୟ ଭୁକ୍ତ ଥିଲା।

ଅପରେଟର କମ୍ପାନି ପର୍ଯ୍ୟାପ୍ତ ସାପ୍ତାହିକ ବିଶ୍ରାମ, ଅଲଟ୍ରା ଲଙ୍ଗ ରେଞ୍ଜ (ୟୁଏଲ୍‌ଆର) ଉଡ଼ାଣ ପୂର୍ବରୁ ଏବଂ ପରେ ପର୍ଯ୍ୟାପ୍ତ ବିଶ୍ରାମ ପ୍ରଦାନ କରିବାରେ ଅବହେଳା ଏବଂ ବିମାନ କର୍ମଚାରୀମାନଙ୍କୁ ପର୍ଯ୍ୟାପ୍ତ ବିଶ୍ରାମ ପ୍ରଦାନ କରିବାରେ ମଧ୍ୟ ଅବହେଳା କରିଥିବା ଦେଖିବାକୁ ମିଳିଥିଲା। ଯାହା ଏଫଡିଟିଏଲ୍‌ ସମ୍ବନ୍ଧୀୟ ବେସାମରିକ ବିମାନ ଚଳାଚଳ ଆବଶ୍ୟକତାର ପ୍ରଚଳିତ ବ୍ୟବସ୍ଥାକୁ ଉଲ୍ଲଂଘନ କରୁଥିଲା।

ଅଡିଟ୍‌ ସମୟରେ ଡ୍ୟୁଟି ଅବଧି ଅତିକ୍ରମ କରିବା, ପ୍ରଶିକ୍ଷଣ ରେକର୍ଡ ଭୁଲ ଭାବେ ଚିହ୍ନିତ କରିବା, ଓଭରଲାପିଂ ଡ୍ୟୁଟି ଇତ୍ୟାଦି ଘଟଣା ମଧ୍ୟ ଅଡିଟ୍‌ କାଳରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର