ଦୁର୍ଘଟଣାଗସ୍ତ ‌‌ହୋଇ ଲାଇନଚ୍ୟୁତ ହେଲା ଯାତ୍ରୀବାହୀ ଟ୍ରେନ; ଅଳ୍ପକେ ବର୍ତ୍ତି ଯାଇଥିବା ଯାତ୍ରୀଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: ରାଜସ୍ଥାନର ଅଜମେରସ୍ଥିତ ମଦାର ଷ୍ଟେସନ ନିକଟରେ ଏକ ଯାତ୍ରୀବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାନ୍ତି।

ସୂଚନା ମୁତାବକ, ସାବରମତୀ –ଆଗ୍ରା କ୍ୟାଣ୍ଟ ସୁପରଫାଷ୍ଟ ଏକ୍ସପ୍ରେସ ବିଳମ୍ବିତ ରାତିରେ ମଦାର ରେଲଓ୍ୱେ ଷ୍ଟେସନ ଆସିବା ପୂର୍ବରୁ ଟ୍ରାକ୍‌ ବଦଳାଉଥିଲା। ଏହି ସମୟରେ ଉକ୍ତ ଧାରଣାରେ ଆସୁଥିବା ଏକ ମାଲବାହି ଟ୍ରେନ୍‌ ସହ ଏହା ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ସାବରମତୀ –ଆଗ୍ରା କ୍ୟାଣ୍ଟ ସୁପରଫାଷ୍ଟ ଏକ୍ସପ୍ରେସ‌ରେ ବସି ଯାତ୍ରା କରୁଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବ‌ା ଜଣାପଡ଼ିଛି। ସେମାନଙ୍କୁ ଟ୍ରେନ ଭିତରୁ ଉଦ୍ଧାର କରି ପ୍ରାଥମିକ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସମ୍ପର୍କରେ ଖବର ପାଇବା ପରେ ଉଦ୍ଧାରାକାରୀ ଦଳ ଓ ରେଳ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିବା ସହିତ ଲାଇନଚ୍ୟୁତ ହୋଇଥିବା ବଗିଗୁଡିକୁ ରେଳ ଧାରଣାକୁ ପୁଣି ଥରେ ଆଣିବାକୁ ଚେଷ୍ଟା ଜାରି ରଖିଛନ୍ତି।

ଦୁର୍ଘଟଣା ପରେ ରେଳ ଧାରଣା ସମ୍ପୂର୍ଣ୍ଣ ଭାବେ କ୍ଷତିଗସ୍ତ ହୋଇଯାଇଛି। ତେବେ ଧାରଣା ସ୍ୱାଭାବିକ ହେବା ପରେ ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳକୁ ପଠାଇ ଦିଆଯିବ। ସେ ପର୍ଯ୍ୟନ୍ତ ଯାତ୍ରୀମାନଙ୍କ ଖାଦ୍ୟ ଓ ପାନୀୟ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଛି।

ସାବରମତୀ –ଆଗ୍ରା କ୍ୟାଣ୍ଟ ସୁପରଫାଷ୍ଟ ଏକ୍ସପ୍ରେସରେ ବସି ଯାତ୍ରା କରୁଥିବା ଯାତ୍ରୀମାନେ ଦୁର୍ଘଟଣା ବିଷୟରେ କହିଛନ୍ତି, କିଛି ଯାତ୍ରୀ ଖାଇସାରି ଶୋଇଥିବା ବେଳେ ଆଉ କିଛି ଜଣ ବସି କଥା ହେଉଥିଲେ। ଏହି ସମୟରେ ଏକ ଭୟଙ୍କର ଶବ୍ଦ ହୋଇଥିଲା ଓ ବସିଥିବା ବଗି ଧରି ଯାଇଥିଲା। ଏହିସମୟରେ ଯାତ୍ରୀ ହୋ ହାଲ୍ଲା କରି ଉଠିଥିଲେ। ତା’ପରେ ଜାଣିବାକୁ ପାଇଲୁ କି ଆମେ ବସି ଯାତ୍ରା କରୁଥିବା ଟ୍ରେନଟି ଦୁର୍ଘଟଣାଗସ୍ତ ହୋଇଛି।

ସମ୍ବନ୍ଧିତ ଖବର