ସଂସଦ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ବିଜେଡି ଉଠାଇଲା ରାଜ୍ୟ ସ୍ୱାର୍ଥ-ସଂପର୍କିତ ଏକାଧିକ ପ୍ରସଙ୍ଗ

ନୂଆଦିଲ୍ଲୀ : ସୋମବାରଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ପ୍ରାୟ ୨୦ ଦିନ ଧରି ଚାଲିବାକୁ ଥିବା ଏହି ଅଧିବେଶନ ଡିସେମ୍ବର ୨୩ ତାରିଖରେ ଶେଷ ହେବ। ବିଭିନ୍ନ ପ୍ରସଙ୍ଗରେ ଏହି ଅଧିବେଶନ ସରଗରମ ରହିବ ବୋଲି ଆଶା କରାଯାଉଥିବା ବେଳେ ସରକାରଙ୍କ ଦ୍ବାରା ଉଭୟ ଗୃହର କାର୍ଯ୍ୟ ସୁରୁଖୁରୁରେ ଚଳାଇବା ପାଇଁ ଆଜି ସର୍ବଦଳୀୟ ବୈଠକର ଆୟୋଜନ କରାଯାଇଥିଲା। ଏହି ବୈଠକରେ ବିଜୁ ଜନତା ଦଳ (ବିଜେଡି)ର ରାଜ୍ୟସଭା ନେତା ପ୍ରସନ୍ନ ଆଚାର୍ଯ୍ୟ ଯୋଗଦେଇ ରାଜ୍ୟ ସ୍ବାର୍ଥ ସଂପର୍କିତ ଏକାଧିକ ପ୍ରସଙ୍ଗ ଉପସ୍ଥାପନ କରିଥିଲେ। କୃଷି ବିଲ୍‌କୁ ପ୍ରତ୍ୟାହାର କରିବା ନିଷ୍ପତ୍ତି ବିଳମ୍ବିତ ହେଲେ ମଧ୍ୟ ଏହାକୁ ବିଜେଡି ସ୍ବାଗତ କରୁଛି ବୋଲି ପ୍ରସନ୍ନ ବୈଠକରେ କହିଥିଲେ। ଚାଷୀର ଉତ୍ପାଦିତ ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଆଇନର ପରିସର ଭିତରେ ରଖାଯାଉ ବୋଲି ସେ ଦାବି ରଖିଥିଲେ। ସରକାର ଧାନର ମୂଲ୍ୟ ପାଇଁ ଯେଉଁ ଏମ୍‌ଏସ୍‌ପି ଧାର୍ଯ୍ୟ କରୁଛନ୍ତି ସେଥିରେ ଚାଷୀର ଲାଭ ହେଉନାହିଁ। ତେଣୁ ଏ ବାବଦରେ ସ୍ବାମୀନାଥନ୍ ରିପୋର୍ଟକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ବୋଲି ସେ ଦାବି କରିଥିଲେ।

ରାଜ୍ୟର ବଳକା ଉଷୁନା ଚାଉଳକୁ ଏଫ୍‌ସିଆଇ ପ୍ରତ୍ୟେକ ବର୍ଷ ସଂଗ୍ରହ କରିଥାଏ। ହେଲେ ଏଥର କେନ୍ଦ୍ର ସରକାର ଏକ ଆଦେଶନାମା ଜାରି କରିଛନ୍ତି ଯେଉଁଥିରେ ଓଡିଶାରୁ ଆଉ ଉଷୁନା ଚାଉଳ ଉଠାଯିବ ନାହିଁ ବୋଲି କୁହାଯାଇଛି।। ଯଦି ଉଷୁନା ଚାଉଳ କେନ୍ଦ୍ର ସରକାର ନ ନିଅନ୍ତି ତା’ହେଲେ ଗୋଦାମଗୁଡିକ ଖାଲି ହେବ ନାହିଁ, ଗୋଦାମ ଖାଲି ନ ହେଲେ ପରବର୍ତ୍ତୀ ଚାଉଳ ଗୋଦାମରେ ରଖିବା କଷ୍ଟସାଧ୍ୟ ହୋଇଯିବ ବୋଲି ଶ୍ରୀ ଆଚାର୍ଯ୍ୟ ଆଶଙ୍କା ବ୍ୟକ୍ତ କରିଥିଲେ। ଚାଷୀଠାରୁ ସରକାର ଯେଉଁ ଧାନ ସଂଗ୍ରହ କରିଥାନ୍ତି ତାହା ଉପରେ ପ୍ରଭାବ ପଡିବ ତଥା ଧାନ ସଂଗ୍ରହ ପ୍ରକ୍ରିୟା ବଧାପ୍ରାପ୍ତ ହେବ। ଚଳିତ ବର୍ଷ ୨୪ରୁ ୨୫ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳକୁ ଏଫ୍‌ସିଆଇ ଦ୍ବାରା ସଂଗ୍ରହ କରାନଗଲେ ଏକ ଦାରୁଣ ପରିସ୍ଥିତ ସୃଷ୍ଟି ହେବ ବୋଲି ଶ୍ରୀ ଆଚାର୍ଯ୍ୟ ଚେତାଇଦେବା ସହିତ କେନ୍ଦ୍ର ସରକାରଙ୍କୁ ନିଷ୍ପତ୍ତି ପରିବର୍ତ୍ତନ କରିବା ପାଇଁ ଦାବି କରିଥିଲେ। ଏଥିସହିତ ରାଜ୍ୟର ଫୁଡ୍ ସବ୍‌ସିଡି ବାବଦରେ ବକେୟା ଥିବା ୭ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାକୁ ତୁରନ୍ତ ରିଲିଜ କରିବା ପାଇଁ ସେ ଦାବି କରିଥିଲେ।

ମହିଳାମାନଙ୍କୁ ସଂସଦ ଏବଂ ରାଜ୍ୟ ବିଧାନସଭାରେ ୩୩ ପ୍ରତିଶତ ସ୍ଥାନ ମିଳୁ ବୋଲି ସର୍ବଦଳୀୟ ବୈଠକରେ ମହିଳା ସଂରକ୍ଷଣ ବିଲକୁ ତୁରନ୍ତ ଗୃହୀତ କରିବା ପାଇଁ ପ୍ରସନ୍ନ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହିଳା ସଂରକ୍ଷଣ ବିଲ୍‌କୁ ସଂସଦରେ ପାରିତ କରିବା ପାଇଁ ଦୀର୍ଘଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ, ସମସ୍ତ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବାର ଶ୍ରୀ ଆଚାର୍ଯ୍ୟ ବୈଠକରେ ଦୋହରାଇଥିଲେ। ସେହିପରି ଓଡିଶା ବିଧାନ ପରିଷଦ ଗଠନ ସଂକ୍ରାନ୍ତ ବିଲ୍‌କୁ ଶୀଘ୍ର ସଂସଦରେ ଆଗତ କରାଇ ମଂଜୁରୀ ପ୍ରଦାନ ପାଇଁ ସେ ସର୍ବଦଳୀୟ ବୈଠକରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସର୍ବଦଳୀୟ ବୈଠକ ଅବସରରେ ଶୀତ ଅଧିବେଶନରେ ବିଜେଡି ପକ୍ଷରୁ ଗୃହ ପରିଚାଳନାରେ ସମସ୍ତ ସହଯୋଗର ପ୍ରତିଶ୍ରୁତି ସେ ଦେଇଥିଲେ।

ଅପରପକ୍ଷେ, ଶୀତ ଅଧିବେଶନରେ ବିଜେପି ଓ କଂଗ୍ରେସ ରାଜ୍ୟର ଅନ୍ୟାନ୍ୟ ପ୍ରସଙ୍ଗ ସହିତ ଆଇନଶୃଙ୍ଖଳା ପରିସ୍ଥିତି, ନାରୀ ନିର୍ଯାତନା, ସୀମା ବିବାଦ ଭଳି ମାମଲାକୁ ପ୍ରମୁଖ ଭାବେ ଉଠାଇବା ପାଇଁ ସଜବାଜ ହେଉଥିବା ଜଣାପଡିଛି। ମମିତା ମେହେର ହତ୍ୟାକାଣ୍ଡକୁ ସଂସଦରେ ଉଠାଯିବ ବୋଲି ବିଜେପି ସାଂସଦ ସୁରେଶ ପୂଜାରୀ କହିଛନ୍ତି। ରାଜ୍ୟରେ ଧାନ ନ ଉଠିବା ପ୍ରସଙ୍ଗ ସମେତ ବିଭିନ୍ନ ସୀମାବିବାଦ ସଂପର୍କରେ ଗୃହରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି। କଂଗ୍ରେସର ସାଂସଦ ସପ୍ତଗିରି ଉଲାକା ରାଜ୍ୟରେ ବିଗୁଡୁଥିବା ଆଇନଶୃଙ୍ଖଳା ପରିସ୍ଥିତି, ମମିତା ମେହେର ହତ୍ୟାକାଣ୍ଡ, କୋଟିଆ ସୀମା ବିବାଦ, ବଂଶଧାରା ଜଳବିବାଦ, ଦରଦାମ ବୃଦ୍ଧି, ଚାଷୀ ସମସ୍ୟା, କୋଭିଡ୍ ମୃତକଙ୍କୁ ପର୍ଯ୍ୟାପ୍ତ ସହାୟତା ରାଶି ଯୋଗାଇବା ଭଳି ପ୍ରସଙ୍ଗକୁ ଗୃହରେ ଉପସ୍ଥାପନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର