‘ଅମୂଲ’ ‘ନନ୍ଦିନୀ’ ବିବାଦ: ବେଙ୍ଗାଲୁରୁରେ ‘ନନ୍ଦିନୀ ଆଇସ୍‌କ୍ରିମ୍‌’ ଖାଇ ରାହୁଲ୍‌ କହିଲେ ‘କର୍ଣ୍ଣାଟକର ଗୌରବ’

ବେଙ୍ଗାଲୁରୁ: କର୍ଣ୍ଣାଟକରେ ‘ନନ୍ଦିନୀ’ ଓ ‘ଅମୂଲ’ ବିବାଦ ଚାଲିଥିବା ବ‌େଳେ ରବିବାର ଦିନ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ବେଙ୍ଗାଲୁରୁସ୍ଥିତ ‘ନନ୍ଦିନୀ ମିଲ୍‌କ୍‌ ପାର୍ଲର୍‌’ ଯାଇ ଆଇସ୍‌କ୍ରିମ୍‌ଟିଏ କିଣି ଖାଇବା ପରେ ତାହାକୁ କର୍ଣ୍ଣାଟକର ଗୌରବ ବୋଲି କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ଗତକାଲି ରାହୁଲ୍‌ ଗାନ୍ଧୀ, ରାଜ୍ୟ କଂଗ୍ରେସ ମୁଖ୍ୟ ଡି. କେ. ଶିବକୁମାର ଏବଂ ଦଳର ସାଧାରଣ ସମ୍ପାଦକ କେ. ସି. ବେଣୁଗୋପାଳ ବେଙ୍ଗାଲୁରୁ ଅନ୍ତର୍ଗତ ଜେ. ପି. ନଗରରେ ଥିବା ‘ନନ୍ଦିନୀ ମିଲ୍‌କ୍‌ ପାର୍ଲର୍‌’କୁ ଯାଇଥିଲେ।

ସେ ସମୟରେ ଉତ୍ତୋଳିତ ଭିଡିଓ କ୍ଲିପ୍‌ରେ ଦେଖାଯାଉଛି- ରାହୁଲ୍‌ ଗାନ୍ଧୀ ଓ ଅନ୍ୟାନ୍ୟ କଂଗ୍ରେସ୍‌ ନେତାମାନେ ‘ନନ୍ଦିନୀ’ ଆଇସ୍‌କ୍ରିମ୍‌ ଖାଉଥିବା ବେଳେ ସେମାନଙ୍କୁ ଦେଖିବା ପାଇଁ ପାର୍ଲର୍‌ ବାହାରେ ବହୁସଂଖ୍ୟକ ଜନତା ଗହଳି କରିଛନ୍ତି।

Image Courtesy of Public TV

‘କର୍ଣ୍ଣାଟକ ମିଲ୍‌କ୍‌ ଫେଡେରେସନ୍‌’ର (କେଏମ୍‌ଏଫ୍‌) ‘ନନ୍ଦିନୀ’ ଆଇସ୍‌କ୍ରିମ୍‌ ବ୍ରାଣ୍ଡ୍‌କୁ ରାହୁଲ୍‌ ରାଜ୍ୟର ଗୌରବ ବୋଲି ଅଭିହିତ କରିବା ସହିତ ଟୁଇଟର୍‌ରେ ଫଟୋଟିଏ ସେୟାର୍‌ କରି ଲେଖିଛନ୍ତି: କର୍ଣ୍ଣାଟକର ଗୌରବ- ‘ନନ୍ଦିନୀ’ ଅଟେ ସର୍ବୋତ୍ତମ!

ସୂଚନାଯୋଗ୍ୟ, ଗୁଜରାଟର ବିଖ୍ୟାତ ଦୁଗ୍ଧଜାତ ସାମଗ୍ରୀ ନିର୍ମାଣକାରୀ କମ୍ପାନି ‘ଅମୂଲ’ ବେଙ୍ଗାଲୁରୁକୁ ପ୍ରବେଶ କରିବା କଥା ଘୋଷଣା କରିବା ପରେ ବିରୋଧୀ ଦଳର ନେତା ତଥା କନ୍ନଡ଼-ସମର୍ଥକ ସଙ୍ଗଠନ ସବୁ କର୍ଣ୍ଣାଟକ ସରକାରଙ୍କୁ ତୀବ୍ର ସମାଲୋଚନା କରୁଛନ୍ତି। କିନ୍ତୁ, ପରେ ‘ବ‌ିଜେପି’ ଘୋଷଣା କରିଥିଲା କି, ‘ଅମୂଲ’ କର୍ଣ୍ଣାଟକକୁ ଆସିବ ନାହିଁ।

Image Courtesy of India Today

ଉଲ୍ଲେଖଯୋଗ୍ୟ, ଏକାଧିକ ବାର ବିଳମ୍ବ କରିବା ପରେ ଦୁଇଦିନିଆ କର୍ଣ୍ଣାଟକ ଗସ୍ତରେ ଯାଇ ରାହୁଲ୍‌ ଗାନ୍ଧୀ ରବିବାର ଦିନ କୋଲାର୍‌ ରାଲିରେ ଉଦ୍‌ବୋଧନ ଦେଇଥିଲେ।

ସମ୍ବନ୍ଧିତ ଖବର