ଭିତରକନିକାରେ ୧୭୯ ବିରଳ ପ୍ରଜାତିର ‘ମ୍ୟାନ୍‌ଗ୍ରୁଭ୍‌ ପିଟା ପକ୍ଷୀ

ରାଜନଗର : ଭିତରକନିକା ଜାତୀୟ ଉଦ୍ୟାନରେ ଚଳିତବର୍ଷ ପ୍ରଥମଥର ପାଇଁ ବିରଳ ପ୍ରଜାତିର ‘ମ୍ୟାନଗ୍ରୁଭ୍‌ ପିଟା ପକ୍ଷୀଙ୍କ ଗଣନା କରାଯାଇଛି। ଗତ ୧୪ ତାରିଖ ଦିନ ଭିତରକନିକା ଜାତୀୟ ଉଦ୍ୟାନ ମଧ୍ୟରେ ଏହି ବିରଳ ପକ୍ଷୀଙ୍କୁ ଖୋଜି ଗଣନା କରାଯାଇଛି। ଗଣନା ସମୟରେ ଭିତରକନିକାରେ ମ୍ୟାନଗ୍ରୁଭ ପିଟା ପକ୍ଷୀ ୧୭୯ଟି ଥିବା ଜଣାପଡିଛି। ମଇପୁରା ମୁହାଣ ଓ ଭିତରକନିକା ଫରେଷ୍ଟ ବ୍ଲକ୍‌ର ଲୁଣା ଜଙ୍ଗଲରେ ଏହି ପକ୍ଷୀଙ୍କୁ ଠାବ କରାଯାଇଛି।

ସୂଚନା ଥାଉ କି, ରାଜନଗର ବନବିଭାଗ ପକ୍ଷରୁ ରାଜନଗର ରେଞ୍ଜରେ ୧୧ଟି ଟିମ୍‌, କନିକା ରେଞ୍ଜରେ ୧୦, ମହାକାଳପଡ଼ା ରେଞ୍ଜରେ ୬, କୁଜଙ୍ଗ ରେଞ୍ଜରେ ୪ ଓ ଗହୀରମଥା ରେଞ୍ଜରେ ଗୋଟିଏ ଟିମ୍‌ ଏହି ବିରଳ ପ୍ରଜାତିର ପକ୍ଷୀଙ୍କ ଗଣନା କରିଛନ୍ତି। ୫ଟି ରେଞ୍ଜରେ ୩୨ଟି ଟିମ୍‌ରେ ୧୦୦ ଜଣ ବନ କର୍ମଚାରୀ ଗଣନା କାର୍ଯ୍ୟରେ ସାମିଲ ହୋଇଥିଲେ। ପିସିସିଏଫ୍‌ ମନୋଜ ନୟାରଙ୍କ ନିର୍ଦେଶ କ୍ରମେ ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କ ତତ୍ତ୍ବାବଧାନରେ ଏହି ଗଣନା କାର୍ଯ୍ୟ କରାଯାଇଛି।

ଏହି ମ୍ୟାନଗ୍ରୁଭ ପିଟା ବା ନବରଙ୍ଗୀ ଚଢ଼େଇ ବିଲୁପ୍ତ ହେଉଥିବା ପକ୍ଷୀମାନଙ୍କ ମଧ୍ୟରେ ଅନ୍ୟତମ। ଏହା ସାଧାରଣତଃ ଘଞ୍ଚ ହେନ୍ତାଳ ଜଙ୍ଗଲ ମଧ୍ୟରେ ବାସ କରିଥାନ୍ତି। ଭିତରକନିକା ଜାତୀୟ ଉଦ୍ୟାନରେ ଲୁଣା ଜଙ୍ଗଲ ସୁରକ୍ଷିତ ଥିବାରୁ ଓ ଏହି ପକ୍ଷୀଙ୍କ ପାଇଁ ସୁରକ୍ଷିତ ବାସସ୍ଥାନ ହୋଇଥିବାରୁ ଏହି ଲୁପ୍ତ ହେବାକୁ ଥିବା ବିଲୁପ୍ତ ପ୍ରାୟ ଏହି ପକ୍ଷୀ ଭିତରକନିକାରେ କେତେ ସଂଖ୍ୟାରେ ଅଛନ୍ତି, ତାହା ଜାଣିବା ପାଇଁ ପ୍ରଥମ ଥର ପାଇଁ ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଗଣନା କରାଯାଇଛି।

ସମ୍ବନ୍ଧିତ ଖବର