ଏଲିଅନ-ୟୁଏଫଓ ଆମେରିକା ପାଖରେ ଅଛନ୍ତି କି ? ରିପୋର୍ଟ ପ୍ରକାଶ କଲା ପେଣ୍ଟାଗନ

ୱାଶିଂଟନ: ଏଲିଅନ ଏବଂ ୟୁଏଫଓକୁ ନେଇ ଏବେ ଏକ ଗୁରୁତ୍ବପୂର୍ଣ୍ଣ ରିପୋର୍ଟ ପ୍ରକାଶ ପାଇଛି। ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ଦ୍ବାରା ଏହି ରିପୋର୍ଟ ପ୍ରକାଶିତ ହୋଇଛି। ଏଲିଅନ-ୟୁଏଫଓ ଆମେରିକା ପାଖରେ ଅଛନ୍ତି ବୋଲି ନେଇ ବିଭିନ୍ନ ସମୟରେ ହେଉଥିବା ଚର୍ଚ୍ଚାର ଉତ୍ତର ପେଣ୍ଟାଗନ ଦେଇଛି।

ପେଣ୍ଟାଗନ କହିଛି ଆମେରିକା ଗୁପ୍ତ ଭାବେ ଏଲିଅନ ଅବା ୟୁଏଫଓ ସମ୍ପର୍କରେ ତଥ୍ୟ ଭିତ୍ତିକ ସୂଚନା ବିଶ୍ବବାସୀଙ୍କଠାରୁ ଲୁଚାଇ ରଖିନାହିଁ। ପେଣ୍ଟାଗନ ଅଲ୍ ଡୋମେନ୍ ଏନୋମଲି ରିଜୋଲ୍ୟୁସନ ଅଫିସ( ଏଏଆରଓ) ପକ୍ଷରୁ ଯାଞ୍ଚ୍ ରିପୋର୍ଟ ଜାରି କରିଛି।

ପେଣ୍ଟାଗନ କହିଛି ଆମେରିକା ଏଲିଅନ ଏବଂ ୟୁଏଫଓ ସହ ସମ୍ପର୍କରେ ଥିବା ନେଇ ବିଭିନ୍ନ ଗୁଜବ ପ୍ରଚାର ହେଉଛି। ଏହି ଗୁଜବ ୧୯୪୦ ଦଶକରେ ଆରମ୍ଭ ହୋଇଥିଲା। ଆମେରିକା ଏଲିଅନ ତଥା ୟୁଏଫଓ ସମ୍ପର୍କରେ ତଥ୍ୟ ବିଶ୍ବବାସୀ ଏବଂ କଂଗ୍ରେସଠାରୁ ଲୁଚାଇ ରଖିଛି ଓ ଏହା ଉପରେ ରିସର୍ଚ୍ଚ ଇଞ୍ଜିନିୟରିଂ କରୁଥିବା କୁହାଯାଇ ଆସୁଛି ବୋଲି ପେଣ୍ଟାଗନ କହିଛି।
ବିଭିନ୍ନ ଟେଲିଭିଜନ ପ୍ରୋଗ୍ରାମ, ପୁସ୍ତକ, ଫିଲ୍ମ, ଇଣ୍ଟରନେଟ ଏବଂ ସୋସିଆଲ ମିଡ଼ିଆରେ ଥିବା ବିଭିନ୍ନ ବିଭ୍ରାନ୍ତିକର ବିଷୟବସ୍ତୁ ଏହି ଗୁଜବ ଧାରଣାକୁ ଅଧିକ ସୁଦୃଢ଼ କରିଛି କିନ୍ତୁ ଏହା ସତ୍ୟ ନୁହେଁ ବୋଲି ପେଣ୍ଟାଗନ କହିଛି।

ଏଏଆରଓ ପକ୍ଷରୁ ଆମେରିକାର ସମସ୍ତ ସମ୍ବେଦନଶୀଳ ପ୍ରୋଗ୍ରାମ୍ ଯାଞ୍ଚ୍ କରାଯାଇଥିଲା। ୧୯୪୫ ମସିଆ ପରଠାରୁ ସମସ୍ତ ଅଧିକାରିକ ସରକାରୀ ଯାଞ୍ଚ୍ ପ୍ରୟାସର ସମୀକ୍ଷା କରାଯାଇଥିଲା। ସମସ୍ତ କ୍ଲାସିଫାଏଡ୍ ଏବଂ ଅନ୍ କ୍ଲାସିଫାଏଡ୍ ଆକାଉଣ୍ଟ ଉପରେ ଗବେଷଣା କରାଯାଇଥିଲା। ଏହା ସହିତ ପ୍ରାୟ ୩୦ ସାକ୍ଷାତକାର କରାଯାଇଥିଲା। ରିପୋର୍ଟ ଅନୁସାରେ ଏଏଆରଓକୁ ଏଭଳି କୌଣସି ପ୍ରମାଣ ମିଳି ନ ଥିଲା ଯାହାଦ୍ବାରା କୁହାଯାଇ ପାରିବ ଯେ ଆମେରିକା ସରକାର ଏଲିଅନ ତଥା ୟୁଏଫଓ ସହ ଯୋଗାଯୋଗରେ ରହିଛନ୍ତି।

ସମ୍ବନ୍ଧିତ ଖବର