ବ୍ୟାଙ୍କ ଲୁଟି ନେଲେ ଗ୍ରାହକ: କିଛି ଘଣ୍ଟା ମଧ୍ୟରେ ୩୩୨ କୋଟି ଲୁଟ୍

ଆଦିସ୍ ଆବା: ଇଥୋପିଆର ବାଣିଜ୍ୟିକ ବ୍ୟାଙ୍କ ସାଇବର ଆକ୍ରମଣର ଶିକାର ହୋଇଛି। ଗ୍ରାହକମାନେ ବିଭିନ୍ନ ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୩୩୨ କୋଟି ଟଙ୍କା ଲୁଟ୍ କରିଛନ୍ତି। ବର୍ତ୍ତମାନ ଏହି ଟଙ୍କା ଫେରସ୍ତ ପାଇଁ ବ୍ୟାଙ୍କ ଅଧିକାରୀ ଏବଂ ସ୍ଥାନୀୟ ପୋଲିସ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ମିଡିଆ ରିପୋର୍ଟ ଅନୁଯାୟୀ ବ୍ୟାଙ୍କର ସର୍ଭରରେ ସାଇବର ଆକ୍ରମଣ ହୋଇଛି। କେହି ଜଣେ ସିଷ୍ଟମକୁ ହ୍ୟାକ୍ କରି ନିୟନ୍ତ୍ରଣକୁ ନେଇଯାଇଥିଲେ ଏବଂ ପରେ ଗ୍ରାହକମାନେ ସେମାନଙ୍କ ଜମା ଖାତାରେ ଥିବା ଜମାଠାରୁ ଅଧିକ ଟଙ୍କା ଉଠାଇବା ଆରମ୍ଭ କରିଥିଲେ ।
ବର୍ତ୍ତମାନ ପର୍ଯ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ଆକାଉଣ୍ଟଗୁଡ଼ିକରୁ ଜମା କ୍ଷମତାଠାରୁ ଅଧିକ ଟଙ୍କା ଉଠା ଯାଇଛି ସେଗୁଡିକ ଏକ ସ୍ଥାନୀୟ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନଙ୍କର। ସୂଚନାନୁସାରେ, ପ୍ରଥମେ ଜଣେ ଶିକ୍ଷାର୍ଥୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତାଙ୍କ ଜମା କ୍ଷମତାଠାରୁ ଅଧିକ ଟଙ୍କା ଉଠା ହୋଇ ପାରୁଛି। ଏହା ପରେ ସେ ଏହି ଖବରକୁ କଲେଜର ହ୍ବାଟସ୍ ଆପ୍ ଗ୍ରୁପ୍ ଏବଂ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଭାଇରାଲ୍ କରିଥିଲେ। ଏହା ପରେ ଏହି ଖବର ବିଶ୍ୱବିଦ୍ୟାଳୟରେ ଜଙ୍ଗଲ ନିଆଁ ପରି ବ୍ୟାପି ଯାଇଥିଲା । ବହୁ ସଂଖ୍ୟକ ଶିକ୍ଷାର୍ଥୀ କ୍ୟାମ୍ପସ୍ ଏଟିଏମ୍ ବାହାରେ ଧାଡି ବାନ୍ଧି ଟଙ୍କା ବାହାର କରିବାକୁ ଲାଗିଥିଲେ। କେତେକ ବ୍ୟାଙ୍କ ଆପ୍ ଏବଂ ଅନଲାଇନ୍ କାରବାର କରି କୋଟି କୋଟି ଟଙ୍କା ଉଠାଇ ନେଇଥିଲେ।

ପୋଲିସର ସୂଚନାନୁସାରେ, ଯେଉଁମାନେ ବ୍ୟାଙ୍କ ଆକାଉଣ୍ଟରୁ ଏଭଳି ଟଙ୍କା ଉଠାଇଛନ୍ତି ସେମାନଙ୍କୁ ଟଙ୍କା ଫେରସ୍ତ ପାଇଁ ନିବେଦନ କରାଯାଇଛି। ଯେଉଁମାନେ ଟଙ୍କା ଫେରସ୍ତ କରିବେ ସେମାନଙ୍କ ବିରୋଧରେ କୌଣସି ଏଫଆଇଆର ପଞ୍ଜୀକୃତ ହେବ ନାହିଁ। ଏହି ଘଟଣାର ଅନୁସନ୍ଧାନ ପାଇଁ ଏକ ସାଇବର ବିଶେଷଜ୍ଞ ଦଳ ମଧ୍ୟ ଗଠନ କରାଯାଇଛି। କିଛି ଲୋକଙ୍କ ଆକାଉଣ୍ଟ ସିଜ୍ କରାଯାଇଛି। ଅଧିକ ଅନୁସନ୍ଧାନ ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୋଲିସର ସୂଚନାନୁସାରେ, କିଛି ଘଣ୍ଟା ମଧ୍ୟରେ ସାଇବର ଆକ୍ରମଣକୁ ନିୟନ୍ତ୍ରଣ କରାଯାଇଥିଲା। କିନ୍ତୁ ସେତେବେଳକୁ ବହୁ ସଂଖ୍ୟକ ଲୋକ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇ ନେଇଥିଲେ।

ସମ୍ବନ୍ଧିତ ଖବର