ମହାରାଷ୍ଟ୍ର ଜନତା ବିଜେପିକୁ ଜନାଦେଶ ଦେଇଥିଲେ : ରବିଶଙ୍କର ପ୍ରସାଦ

ମୁମ୍ବାଇ : ମହାରାଷ୍ଟ୍ରରେ ଆକସ୍ମିକ ସରକାର ଗଠନ ନେଇ ମୁହଁ ଖୋଲିଛି ବିଜେପି । ବିଜେପି ମୁଖପାତ୍ର ତଥା କେନ୍ଦ୍ରୀୟ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ମହାରାଷ୍ଟ୍ରରେ ଲୋକମାନେ ବିଜେପି ସପକ୍ଷରେ ଜନାଦେଶ ଦେଇଥିଲେ । ନିର୍ବାଚନ ପ୍ରଚାର ବେଳେ ଦେବେନ୍ଦ୍ର ଫଡନବୀସ ହିଁ ଥିଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ବିଜେପିର ଲୋକପ୍ରିୟତା ଯୋଗୁଁ ଶିବସେନା ମଧ୍ୟ ଫାଇଦାରେ ରହିଲା ।

ଯେତେବେଳେ ବିଜେପି-ଶିବସେନା ମେଣ୍ଟ ସରକାର ଗଢିବା ପାଇଁ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଲା ତାହା ଦେବେନ୍ଦ୍ର ଫଡନବୀସ ନେତୃତ୍ୱାଧୀନ ବିଜେପିର ନୈତିକ ବିଜୟ ଥିଲା ବୋଲି ରବିଶଙ୍କର କହିଛନ୍ତି । ଶିବସେନା ସଂପର୍କରେ ସେ କହିଛନ୍ତି ଯେଉଁମାନେ କ୍ଷମତା ପାଇଁ ବାଲାସାହେବଙ୍କ ନୀତିଆଦର୍ଶକୁ ଜଳାଞ୍ଜଳୀ ଦେଇଦେଲେ ସେମାନେ ବିଜେପିକୁ ନୀତିବାଣୀ ଦେବା ଦରକାର ନାହିଁ । ଯେଉଁମାନେ କ୍ଷମତା ପାଇଁ ସବୁକିଛି ଜଳାଞ୍ଜଳୀ ଦେବାକୁ ପ୍ରସ୍ତୁତ ସେମାନେ ଶିବାଜୀଙ୍କ କଥା କହିବା ଉଚିତ ନୁହେଁ ବୋଲି ରବିଶଙ୍କର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଆଜି ସକାଳେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀସ ଶପଥ ଗ୍ରହଣ କରିଛନ୍ତି । ଏନସିପିର ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ, ଶିବସେନା କହୁଛନ୍ତି ।

ସମ୍ବନ୍ଧିତ ଖବର