ମହାରାଷ୍ଟ୍ର : ଏନସିପିର ୯ ବିଦ୍ରୋହୀ ବିଧାୟକଙ୍କୁ ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ନେଉଛି ବିଜେପି

ମୁମ୍ବାଇ : ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ପରେ ରାଜନୈତିକ ସ୍ଥିତି ନାଟକୀୟ ଭାବେ ବଦଳିବାରେ ଲାଗିଛି । ତିନି ପ୍ରମୁଖ ଦଳ ବିଜେପି, ଏନସିପି ଓ କଂଗ୍ରେସ ନିଜ ନିଜର ବିଧାୟକମାନଙ୍କୁ ବିଭିନ୍ନ ସୁରକ୍ଷିତ ସ୍ଥାନକୁ ନେବାରେ ଲାଗିଛନ୍ତି । ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ କହିବା ଅନୁସାରେ ତାଙ୍କ ଦଳର ୧୦ରୁ ୧୧ ବିଧାୟକ ଅଜିତ ପାଓ୍ଵାରଙ୍କ ଶିବିରରେ ଅଛନ୍ତି । ସେମାନେ ହିଁ ବିଜେପିକୁ ସମର୍ଥନ କରିଛନ୍ତି । ବିଜେପି ଏବେ ସେମାନଙ୍କୁ ଏକ ଚାଟାର୍ଡ ବିମାନରେ ଦିଲ୍ଲୀ ନେଉଥିବା ଖବର ହସ୍ତଗତ ହୋଇଛି । ଅନ୍ୟପକ୍ଷରେ ଶରଦ ପାଓ୍ଵାର ମଧ୍ୟ ନିଜର ବିଧାୟକମାନଙ୍କୁ ଏକାଠି ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ସେମାନଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ନିଆଯିବ । ଶିବସେନା ନିଜ ବିଧାୟକମାନଙ୍କୁ ରାଜସ୍ଥାନର ଜୟପୁର ଓ କଂଗ୍ରେସ ଭୋପାଳ ନେବାକୁ ଯୋଜନା କରୁଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ଆଜି ଏକ ଅପ୍ରତ୍ୟାର୍ଶିତ ଘଟଣାକ୍ରମେ ସକାଳ ୫ଟା ୪୫ ମନିଟରେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀସ ଶପଥ ଗ୍ରହଣ କରିଛନ୍ତି । ଏନସିପିର ଅଜିତ ପାଓ୍ଵାର ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଆସନ୍ତା ୩୦ ତାରିଖରେ ବିଧାନସଭାରେ ଆସ୍ଥାଭୋଟ ଅନୁଷ୍ଠିତ ହେବ । ସେ ସମୟ ପର୍ଯ୍ୟନ୍ତ ସବୁଦଳ ନିଜ ନିଜର ବିଧାୟକମାନଙ୍କୁ ସୁରକ୍ଷିତ ରଖିବାକୁ ଉଦ୍ୟମ କରୁଛନ୍ତି ।

ସମ୍ବନ୍ଧିତ ଖବର