ପୁଞ୍ଚ ଆତଙ୍କବାଦୀଙ୍କୁ ଧରିଲେ ୨୦ ଲକ୍ଷ ଟଙ୍କା

ଶ୍ରୀନଗର: ମଇ ୪ ତାରିଖରେ ଜମ୍ମୁ ଓ କଶ୍ମୀରର ପୁଞ୍ଚ ଜିଲ୍ଲାରେ ଭାରତୀୟ ବାୟୁସେନାର ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ବାୟୁସେନା ଯବାନ ଭିକ୍କି ପାଣ୍ଡେଙ୍କ ମୃତ୍ୟୁ ଘଟିଥିଲା ଓ ଅନ୍ୟ ଚାରିଜଣ ଗୁରୁତର ଆହତ ହୋଇଛନ୍ତି। ଆଜି, ଏହି ଘଟଣାରେ ସମ୍ପୃକ୍ତ ଦୁଇଜଣ ପାକିସ୍ତାନୀ ଆତଙ୍କବାଦୀଙ୍କ ସ୍କେଚ୍‌କୁ ଜମ୍ମୁ ପୁଲିସ ଜାରି କରିଛି । ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନକାରୀଙ୍କ ନିମନ୍ତେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରାଯାଇଛି। ଜମ୍ମୁର ପୁଲିସର ଅତିରିକ୍ତ ଏଡିଜି ଘଟଣାକ୍ରମ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗତକାଲି, ୧୬ କ୍ରପସ୍‌ର କ୍ରପ୍‌ସ କମାଣ୍ଡର, ଏଡିଜି (ଜମ୍ମୁ ଜୋନ୍‌)ର ଆନନ୍ଦ ଜୈନ, ଜିଓସି ରୋମିଓ ଫୋର୍ସ, ସିଆର୍‌ପିଏଫ୍‌ର ଆଇଜିପି, ଆର୍‌ପି ରେଞ୍ଜର ଡିଆଇଜି ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ସାହାସିତର ଅଞ୍ଚଳରେ ଜାରି ରହିଥିବା ସର୍ଚ୍ଚ ଓ କମ୍ବିଂ ଅପରେସନ୍‌ ସମ୍ପର୍କରେ ସମୀକ୍ଷା କରିଥିଲେ। ଅନେକ ସନ୍ଦିଗ୍ଧଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି। ଭାରତୀୟ ସେନାର ଅତିରିକ୍ତ ଯବାନମାନେ ମଧ୍ୟ ଆସି ପହଞ୍ଚିଛନ୍ତି। ବିଭିନ୍ନ ସ୍ଥାନରେ ତନଖିଫାଟକ ସ୍ଥାପନ କରାଯାଇଛି ବୋଲି ଏଡିଜିପି ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର