ବନାଗ୍ନି ପାଇଁ ଶିମିଳିପାଳ ଛାରଖାର: ରାତିରେ ଅଧିକ ସ୍ଥାନରେ ଲାଗୁଛି ନିଆଁ

ବନ୍ୟଜନ୍ତୁଙ୍କ ବିପଦ ସତ୍ତ୍ବେ ବନବିଭାଗର ରାତ୍ରିକାଳୀନ ପଇଁତରା ଆରମ୍ଭ

ବାରିପଦା: ଶିମିଳିପାଳକୁ ଛାରଖାର କରୁଛି ଜଙ୍ଗଲ ନିଆଁ। ପ୍ରତିବର୍ଷ ବନାଗ୍ନି ଯୋଗୁଁ ଏସିଆ ମହାଦେଶର ଏହି ସର୍ବବୃହତ ଜୈବମଣ୍ଡଳରେ ବ୍ୟାପକ କ୍ଷୟକ୍ଷତି ହେଉଛି। ଶହଶହ ବର୍ଷର ପୁରୁଣା ବୃକ୍ଷରାଜି ପୋଡ଼ି ପାଉଁଶ ହୋଇ ଯାଉଥିବା ବେଳେ ବନ୍ୟଜନ୍ତୁଙ୍କ ବାସସ୍ଥାନ ଉଜୁଡ଼ିଯାଉଛି। ଯଦିଓ ୨୦୨୧ର ଭୟାବହ ବନାଗ୍ନି ପରଠୁ ଜଙ୍ଗଲ ନିଆଁକୁ ଆୟତ୍ତ କରିବା ନିମନ୍ତେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି; ହେଲେ ସ୍ଥାୟୀ ସମାଧାନର ବାଟ ବାହାରିପାରୁନି। ପୂର୍ବଥର ଭଳି ଏଥର ବି ଜଳୁଛି ଶିମିଳିପାଳ। ଗତ ୨ ମାସରେ ଏହି ଜୈବ ମଣ୍ଡଳର ୧୨୦୦ ସ୍ଥାନରେ ନିଆଁ ଲାଗିଲାଣି। ଫଳରେ ଜୈବିକ ସନ୍ତୁଳନ ନଷ୍ଟ ହେବା ସହ ଶିମିଳିପାଳ ଛାଡ଼ି ଜନବସତିକୁ ପ୍ରାଣବିକଳରେ ପଶି ଆସୁଛନ୍ତି ବନ୍ୟଜନ୍ତୁ।

ଜଙ୍ଗଲ ନିଆଁକୁ ବନ ବିଭାଗ ମୁଖ୍ୟତଃ ମନୁଷ୍ୟକୃତ ଦର୍ଶାଉଥିବ‌ା ବେଳେ ଏଥର କିନ୍ତୁ ପ୍ରଚଣ୍ଡ ଖରା ଓ ତାତି କାରଣରୁ ଅଧିକାଂଶ ସ୍ଥାନରେ ନିଆଁ ଲାଗିଛି। ବନ ବିଭାଗ ଗୋଟିଏ ସ୍ଥାନରେ ନିଆଁକୁ ଆୟତ୍ତ କଲେ ଅନ୍ୟ ପଟେ ହୁହୁ ହୋଇ ଜଳୁଛି ଜଙ୍ଗଲ। ଚଳିତବର୍ଷ ମୟୂରଭଞ୍ଜରେ ତାପମାତ୍ରା ସର୍ବକାଳୀନ ରେକର୍ଡ ଅତିକ୍ରମ କରିଛି। ତାତି ପ୍ରକୋପ ଅଧିକ ଥିବାରୁ ବନାଗ୍ନି ‌ରୋକିବା ପାଇଁ ୧ ହଜାରରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଏଥିରେ ବନ ବିଭାଗ, ପୁଲିସ, ସ୍ବତନ୍ତ୍ର ସ୍କ୍ବାଡ୍‌ ସହ ଓଡ୍ରାଫ୍ ଟିମ୍‌ ବି ରହିଛି। ଏହି ଟିମ୍‌ର କର୍ମଚାରୀ ଦିନବେଳା ଜଙ୍ଗଲରୁ ଜଙ୍ଗଲ ପଇଁତରା ମାରି ନିଆଁ ଲାଗୁଥିବା ସ୍ଥାନ (ଫାୟାର ପଏଣ୍ଟ)କୁ ଚିହ୍ନଟ କରୁଛନ୍ତି। ଏଥିରେ ଡ୍ରୋନ୍ କ୍ୟାମେରା ଓ କୃତ୍ରିମ ବୁଦ୍ଧିମତା (ଏଆଇ)ର ସାହାଯ୍ୟ ମଧ୍ୟ ନିଆଯାଉଛି।

ଗତ କିଛିଦିନର ସ୍ଥିତିକୁ ଅନୁଧ୍ୟାନ କଲେ ଏବେ ଦିନ ବଦଳରେ ରାତିରେ ଅଧିକ ସ୍ଥାନରେ ନିଆଁ ଲାଗୁଛି। ଶିମିଳିପାଳ ଉତ୍ତର ଓ ଦକ୍ଷିଣ ଡିଭିଜନରୁ ଏହି ଚିତ୍ର ସାମ୍‌ନାକୁ ଆସିଛି। ଏହାକୁ ନେଇ ବନ ବିଭାଗ ମଧ୍ୟ ଚିନ୍ତାରେ ପଡ଼ିଯାଇଛି। ରାତିସାରା ଜଙ୍ଗଲ ଜଳିଲେ କ୍ଷୟକ୍ଷତି ଅଧିକ ହେବ। ତେଣୁ ରାତିରେ ଲାଗୁଥିବା ନିଆଁ ସେହି ରାତିରେ ହିଁ ପ୍ରଶମିତ କରିବା ପାଇଁ ଆଜିକୁ ୨ ଦିନ ହେଲା ରାତ୍ରିକାଳୀନ ପାଟ୍ରୋଲିଂ ଆରମ୍ଭ ହୋଇଛି। ଏଥିପାଇଁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି। ରାତିରେ ବନ୍ୟଜନ୍ତୁଙ୍କ ଭୟ ଥିଲେ ମଧ୍ୟ ପରିବେଶର ସୁରକ୍ଷା ପାଇଁ ପଣ କରିଥିବା କର୍ମଚାରୀ ନିଜ ଜୀବନକୁ ବାଜି ଲଗାଇ ଏହି ଦୁଃସାହସିକ କାମରେ ଲାଗି ପଡ଼ିଛନ୍ତି। ଶିମିଳିପାଳର ସୁରକ୍ଷା ନିମନ୍ତେ ଆମେ ସବୁପ୍ରକାର ବ୍ୟବସ୍ଥା କରୁଛୁ। ଏଥିରେ ଜିଲ୍ଲାବାସୀଙ୍କର ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ ଦରକାର ବୋଲି କହିଛନ୍ତି ଶିମିଳିପାଳ କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ।

ସମ୍ବନ୍ଧିତ ଖବର