ଘାନାରେ ବିସ୍ଫୋରକ ଭର୍ତ୍ତି ଟ୍ରକ ଦୁର୍ଘଟଣାଗ୍ରସ୍ତ, ୧୭ ମୃତ

ଘାନା : ଆଫ୍ରିକୀୟ ଦେଶ ଘାନାରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ଗୋଟିଏ ଖଣିରେ ବ୍ୟବହାର ହେବାକୁ ଥିବା ବିସ୍ଫୋରକ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୫୯ ଜଣ ଆହତ ହୋଇଛନ୍ତି ।

ଘଟଣାଟି ଘାନାର ରାଜଧାନୀ ଆକରାଠାରୁ ୩୦୦ କିଲୋମିଟର ପଶ୍ଚିମରେ ଥିବା ବୋଗୋସୋ ସହର ନିକଟରେ ଥିବା ଆପିଆଟ ଠାରେ ହୋଇଛି । ବିସ୍ଫୋରକ ଭର୍ତ୍ତି ଟ୍ରକଟି ଏକ ମୋଟରସାଇକେଲ ଓ ଆଉ ଏକ ଗାଡ଼ି ସହ ଧକ୍କା ହେବାରୁ ଦୁର୍ଘଟଣାଗ୍ରସ୍ତ ହୋଇପଡ଼ିଥିଲା । ଫଳରେ ସେଥିରେ ଥିବା ବିସ୍ଫୋରକ ସାମଗ୍ରୀରେ ନିଆଁ ଲାଗି ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣ ଏତେ ତୀବ୍ର ଥିଲା ଯେ ଆଖପାଖରେ ଥିବା କୋଠାଗୁଡ଼ିକ ମାଟିରେ ମିଶିଯାଇଛି । ବିସ୍ଫୋରଣ ସ୍ଥାନରେ ଏକ ବଡ଼ ଗାତ ସୃଷ୍ଟି ହୋଇଛି । ଖବର ମିଳିବା ପରେ ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାରକାର୍ଯ୍ୟ ଚଳାଇଛନ୍ତି । ଏହି ଘଟଣାରେ ୧୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିବା ସହ ୫୯ ଜଣ ଆହତ ହୋଇଛନ୍ତି । ଆହତ ମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି ବୋଲି ଘାନାର ସୂଚନା ମନ୍ତ୍ରୀ କୋଜୋ ଓପୋଙ୍ଗ କ୍ରୁମାହ କହିଛନ୍ତି । ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । 

ସମ୍ବନ୍ଧିତ ଖବର