ହାତୀ-ମଣିଷ ସଂଘର୍ଷ ସମ୍ପର୍କିତ ପୁସ୍ତକ ଉନ୍ମୋଚିତ, ସ୍ଥାନ ପାଇଛି ଓଡ଼ିଶାର ୬ଟି ପଦକ୍ଷେପ

ନୂଆଦିଲ୍ଲୀ : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟର ପ୍ରୋଜେକ୍ଟ ଏଲିଫେଣ୍ଟ ଡିଭିଜନ୍ ପକ୍ଷରୁ ଉନ୍ମୋଚିତ ହୋଇଛି ପୁସ୍ତକ ‘ବେଷ୍ଟ ପ୍ରାକ୍ଟିସେସ୍‌ ଅଫ୍‌ ହ୍ୟୁମାନ୍‌ ଏଲିଫାଣ୍ଟ କନ୍‌ଫ୍ଲିଷ୍ଟ ମ୍ୟାନେଜ୍‌ମେଣ୍ଟ’। କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର୍‌ ଏହାକୁ ଉନ୍ମୋଚନ କରିଛନ୍ତି। ଏହି ପୁସ୍ତକରେ ଦେଶରେ ମଣିଷ-ହାତୀ ସଂଘର୍ଷର ପରିଚାଳନାକୁ ନେଇ ବିଭିନ୍ନ ରାଜ୍ୟମାନଙ୍କ ଦ୍ବାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପଗୁଡିକୁ ଏଥିରେ ଉଲ୍ଲେଖ କରାଯାଇଥିବାବେଳେ ଓଡ଼ିଶା ସମ୍ପର୍କରେ ୬ଟି ଉଦାହରଣ ଦିଆଯାଇଥିବା ଜଣାପଡ଼ିଛି। ପୁସ୍ତକରେ ଉଲ୍ଲେଖ ଅଛି ଯେ, ଓଡ଼ିଶାରେ ହାତୀମାନଙ୍କୁ ସେମାନଙ୍କ ଗୋଠ ଏବଂ ‌ସେମାନଙ୍କ ପ୍ରାକୃତିକ ରହଣିସ୍ଥଳୀକୁ ତଡ଼ିକି ପଠାଇବା ପାଇଁ ଡ୍ରମ୍‌ ବଜାଯାଇଥାଏ। ଲାଉଡ଼୍‌ସ୍ପିକର୍‌ର ବ୍ୟବହାର କରାଯିବା ସହିତ ଏସ୍‌ଏମ୍‌ଏସ୍‌ ଓ ହ୍ବାଟ୍‌ସଆପ୍‌ ମେସେଜ୍‌ ମାଧ୍ୟମରେ ସଜାଗ କରାଯାଇଥାଏ। ସେହିଭଳି, ହାତୀମାନେ ଯେଭଳି ଫସଲ ନଷ୍ଟ ନ କରିବେ, ସେଥିପାଇଁ କ୍ରପ୍‌ଗାର୍ଡିଂର ବ୍ୟବସ୍ଥା ରହିଛି। ହାତୀମାନଙ୍କୁ ବିଦ୍ୟୁତ ଆଘାତରୁ ବଞ୍ଚାଇବା ପାଇଁ ବିଦ୍ୟୁତ୍‌ ଖୁଣ୍ଟରେ ଆବଶ୍ୟକୀୟ ପ୍ରତିରୋଧକ (ଖୁଣ୍ଟ) ଲଗାଯାଇଥାଏ। ହାତୀମାନଙ୍କୁ ଘଉଡାଇବାକୁ ‘ପ୍ରାଇମେରି ରେସ୍ପନ ଟିମ୍‌’ ଗଠନ କରାଯାଇଥିବାର ପୁସ୍ତକରେ ଉଲ୍ଲେଖ କରାଯାଇଛି ।

ସମ୍ବନ୍ଧିତ ଖବର