ବେପାରରେ କ୍ଷତିରୁ ଅନଟନର ପରିଣାମ: ଦୁଇ ଝିଅଙ୍କୁ ବିଷ ଦେଇ ଦମ୍ପତିଙ୍କ ଆତ୍ମହତ୍ୟା

ପୁନେ: ବ୍ୟବସାୟରେ ବ୍ୟାପକ କ୍ଷତି ଯୋଗୁଁ ଦେଖାଦେଇଥିବା ଆର୍ଥିକ ଅନଟନ ସହିନପାରି ସ୍ଥାନୀୟ ପୋକଲେନଗରରେ ଜଣେ ବ୍ୟବସାୟୀ ନିଜର ଦୁଇ ପିଲାଙ୍କୁ ବିଷ ଦେଇ ନିଜେ ପତ୍ନୀଙ୍କ ସହିତ ଆତ୍ମହତ୍ୟା କରିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ମାନସ ଆପାର୍ଟମେଣ୍ଟ୍‌ରେ ଗତ ଶୁକ୍ରବାର ଏହି ଦୁଃଖଦ ପରିସ୍ଥିତି ଘଟିଥିବା ବେଳେ ପୁଲିସ ଶନିବାର ରାତିରେ ଚାରିଜଣଙ୍କ ମୃତଦେହ ଉଦ୍ଧାର କରିଛି। ମୃତକମାନେ ହେଲେ ନୀଲେଶ ଚୌଧୁରି(୩୮), ପତ୍ନୀ ନୀଲମ୍‌(୩୩) ଏବଂ ଦୁଇ ଝିଅ ଶ୍ରେୟା(୯) ଓ ଶ୍ରାବଣୀ। ଶନିବାର ରାତି ୯ଟା ବେଳେ ମାନସ ଆପାର୍ଟମେଣ୍ଟର ଜଣେ ବାସିନ୍ଦା ନୀଲେଶଙ୍କ ଘର ଦରମେଲା ଥିବା ସହ ଭିତର ବାହାର ଆଲୋକ ସବୁ ବନ୍ଦ ଥିବା ଦେଖିଥିଲେ। ତେବେ ସେ ଫାଙ୍କ ବାଟେ ଚାହିଁଲା ବେଳକୁ କେହି ଜଣେ ଛାତରୁ ଝୁଲୁଥିବା ଜଣାପଡ଼ିଥିଲା। ଏ ସମ୍ପର୍କରେ ତୁରନ୍ତ ପଡ଼ୋଶୀମାନଙ୍କୁ ଜଣାଇବା ପରେ ଖବର ପାଇ ପୁଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ସେଠାରେ ବେକରେ ରଶି ଲଗାଇ ନୀଲେଶ ଆତ୍ମହତ୍ୟା କରିଥିବା ବେଳେ ଭିତର ଘରେ ନୀଲମ୍‌ ଓ ଦୁଇ ଝିଅଙ୍କ ଶବ ପଡ଼ିଥିଲା। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍‌ ନୋଟ୍‌ରେ ବ୍ୟବସାୟରେ ଭୀଷଣ କ୍ଷତି ଯୋଗୁଁ ତାଙ୍କୁ ସାଂଘାତିକ ଆର୍ଥିକ ଅନଟନର ସାମନା କରିବାକୁ ପଡୁଛି ବୋଲି ନୀଲେଶ ଲେଖିଛନ୍ତି। ତେବେ ଏହା ଅସହ୍ୟ ହେବାରୁ ସେ ଏପରି ଚରମ ପଦକ୍ଷେପ ନେଇଛନ୍ତି। ନିଜ ବେପାର କ୍ଷତିର ପ୍ରଭାବ ପିଲାଛୁଆଙ୍କ ଉପରେ ନପକାଇବା ପାଇଁ ସାରା ପରିବାର ସବୁଦିନ ପାଇଁ ଆଖିବୁଜିଦେବା ପାଇଁ ସେ ଚାହିଥିବା ଲେଖିଛନ୍ତି। ବ୍ୟବଚ୍ଛେଦ ରିପୋର୍ଟରୁ ଦୁଇ ଝିଅଙ୍କୁ ବିଷ ପିିଇବାକୁ ଦେବା ପରେ ନୀଲେଶ ନିଜେ ବିଷ ପିଇଦେଇଛନ୍ତି। ଏହା ଜାଣିଲା ପରେ ତାଙ୍କ ପତ୍ନୀ ମଧ୍ୟ ବିଷ ପିଇଛନ୍ତି। ପରେ ନୀଲେଶ ପୁଣି ବେକରେ ରସି ଲଗାଇ ଛାତ ପଙ୍ଖାରୁ ଝୁଲି ପଡ଼ିଛନ୍ତି।

ସମ୍ବନ୍ଧିତ ଖବର