ଏହି ୪୨ଟି ଆପ୍‌କୁ ତୁରନ୍ତ ମୋବାଇଲ୍‌ରୁ ଡିଲିଟ କରନ୍ତୁ : ସେନା କର୍ମଚାରୀଙ୍କୁ କହିଲା ଗୁଇନ୍ଦା ବିଭାଗ

ନୂଆଦିଲ୍ଲୀ: ଦିନକୁ ଦିନ ମୋବାଇଲ ଆପ୍‌ର ଅତ୍ୟଧିକ ବ୍ୟବହାର ଦେଶ ପାଇଁ ବିପଦ ସୃଷ୍ଟି କରିପାରେ । ଏହା ମାଧ୍ୟମରେ ଶତ୍ରୁ ଦେଶ ସୁରକ୍ଷା ସଂପର୍କିତ ତଥ୍ୟ ଚୋରି କରି ନେଉଛନ୍ତି।  ବୁଧବାର ଗୁଇନ୍ଦା ବିଭାଗ ଦେଶର ସୁରକ୍ଷା ପାଇଁ ମୋବାଇଲ୍‌ରୁ ୪୦ଟି ଆପ୍‌ ତୁରନ୍ତ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁଇନ୍ଦା ବିଭାଗ ଏହାର ଏକ ତାଲିକା ମଧ୍ୟ ଜାରି କରିଛନ୍ତି। ସୁରକ୍ଷାବଳୟରେ ଥିବା ଯବାନ ଓ ଅଧିକାରୀମାନଙ୍କୁ ଏହି ଆପ୍‌ ବ୍ୟବହାର ନକରିବାକୁ କୁହାଯାଇଛି। ଯଦି ଫୋନ୍‌ରେ ଏହି ଆପ୍‌ ଅଛି ତାହାକୁ ଫରମାଟ କରିବା ସହିତ ମୋବାଇଲ୍‌କୁ ରି-ଷ୍ଟାର୍ଟ କରିବାକୁ କୁହାଯାଇଛି। ଏହି ଆପ୍‌ ଯେ କେବଳ ଭାରତର ସୁରକ୍ଷା ପାଇଁ ବିପଦ ରହିଛି ତାହା ନୁହେଁ, ଏହି ଆପ୍‌ ବ୍ୟବହାର କରୁଥିବା ବ୍ୟବହାରକାରୀଙ୍କ ଉପରେ ବି ସାଇବର ଆଟାକ୍‌ ହେବାର ବହୁ ଆଶଙ୍କା ରହିଛି।

ସୂଚନାଯୋଗ୍ୟ, କେତେକ ଆଣ୍ଡ୍ରୋଏଡ ଓ ଆଇଓଏସ ଆପ୍‌କୁ ଚୀନ ସପ୍ଟଓ୍ଵୟାର ଡିଜାଇନରମାନେ କିମ୍ବା କୌଣସି ଚୀନ କମ୍ପାନି ପ୍ରସ୍ତୁତ କରିଥାଆନ୍ତି। ଏହି ସମସ୍ତ ଆପ୍‌ଗୁଡ଼ିକ ସ୍ପାଇଓୟାର କିମ୍ବା ମାଲଓୟାର ବୋଲି କୁହାଯାଉଛି। ଏହି ଆପ୍‌ ଜରିଆରେ ଡାଟା ଓ ଅନ୍ୟ ସମସ୍ତ ତଥ୍ୟ ହ୍ୟାକ୍‌ କରାଯାଇପାରେ ବୋଲି ଗୁଇନ୍ଦା ବିଭାଗ ସୂଚନା ଦେଇଛନ୍ତି। ଗତକିଛି ଦିନ ମୋବାଇଲ ହ୍ୟାକ୍‌ ନେଇ ଅନେକ ମାମଲା ସାମ୍ନାକୁ ଆସିଥିଲା। ତେବେ ଏହି ଆପ୍‌ ସଂଖ୍ୟା ୪୦ରୁ ଊର୍ଧ୍ୱ ରହିଛି ବୋଲି ଜଣାପଡ଼ିଛି।

ଏହି ଆପ୍‌ ଜରିଆରେ ଚୀନ ଭାରତୀୟ ସେନା ଓ ଅଫିସରମାନଙ୍କ ଫୋନ୍‌ରୁ ଡାଟା ଚୋରାଇ ନେଉଥିବା ଆଶଙ୍କା କରାଯାଉଛି। ଚୀନ ସୀମାରେ ଥିବା ଭାରତୀୟ ଯବାନମାନଙ୍କ ଫୋନ୍‌ରୁ ଉଇଚାଟ,ଟ୍ରୁକଲର, ଉଇବୋ, ୟୁସି ବ୍ରାଉଜର ଓ ୟୁସି ନିଉଜ୍‌କୁ ହଟାଇବାକୁ କୁହାଯାଇଛି।

ଗୁଇନ୍ଦା ବିଭାଗ ଦାବି କରି କହିଛି, ବିଶେଷ ଭାବେ ଚୀନ ଓ ପାକିସ୍ତାନର ଏଜେନ୍ସି ମୋବାଇଲ୍‌ ଆପ୍‌ରୁ ଡାଟା ଚୋରାଇବାର କାମ କରୁଛନ୍ତି। ଏହି କମ୍ପାନି ମୋବାଇଲ ଆପ୍‌କୁ ବ୍ରେକ୍‌ କରି ଡାଟା ଚେରି କରିଥାଆନ୍ତି।

ଲଦାଖରୁ ନେଇ ଅରୁଣାଚଳ ପ୍ରଦେଶର ୪,୦୫୭ କିମି ପର୍ଯ୍ୟନ୍ତ ଜଗି ରହିଥିବା ସମସ୍ତ ସେନା ଓ ଅନ୍ୟ ସେଣ୍ଟ୍ରାଲ ଆର୍ମି ପୁଲିସ ଫୋର୍ସ(ଇଣ୍ଡୋ-ତିବ୍ଦତାନ ବର୍ଡର ପୁଲିସ)ଙ୍କୁ ବି ସ୍ମାର୍ଟଫୋନରୁ ଏହି ଆପ୍‌ ଓ କମ୍ପ୍ୟୁଟରରୁ ବିପଦପୂର୍ଣ୍ଣ ସପ୍ଟଓ୍ଵୟାରରୁ ନିବୃତ୍ତ ରହିବାକୁ କୁହାଯାଇଛି।

ଅନ୍ୟପକ୍ଷରେ ଭାରତୀୟ ବାୟୁସେନା ସମସ୍ତ ଅଧିକାରୀ, ଏୟାରମେନ୍‌ ଓ ସେମାନଙ୍କ ପରିବାରବର୍ଗକୁ ଚୀନର ସାଓମି ସ୍ମାର୍ଟଫୋନ୍‌ ଓ ନୋଟବୁକ୍‌ ବ୍ୟବହାର ନ କରିବାକୁ କହିଛନ୍ତି। ଚୀନରେ ଥିବା ରିମୋଟ ସର୍ଭର ଏହି ଗ୍ରାଉଣ୍ଡ ଦ୍ୱାରା ଡାଟାକୁ ହ୍ୟାକ୍‌ କରିଥାଏ।

ସମ୍ବନ୍ଧିତ ଖବର