ଇଭାଙ୍କାଙ୍କ ଗସ୍ତ ବେଳେ ସୁରକ୍ଷା ବିଭ୍ରାଟ୍‌ : ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ରୁ ଲିକ୍‌ ହେଲା ମୋଦି-ଇଭାଙ୍କାଙ୍କ ଡିନର୍‌ ପାର୍ଟିର ଭିଜୁଆଲ୍‌

ହାଇଦ୍ରାବାଦ: କଡ଼ା ସୁରକ୍ଷା ବଳୟ ଭିତରେ ହାଇଦ୍ରାବାଦର ଫଲକନାମା ପ୍ୟାଲେସ୍‌ ଭିତରେ ଚାଲିଥାଏ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକାର ଫାଷ୍ଟ ଡଟର୍‌ ଇଭାଙ୍କା ଟ୍ରମ୍ପଙ୍କ ଡିନର୍‌। କୌଣସି ଗଣମାଧ୍ୟମ ସଂସ୍ଥାକୁ ଭିତରକୁ ଯିବାକୁ ଅନୁମତି ନ ଥାଏ। ମାତ୍ର ହଠାତ୍‌ ଏକ ଆଞ୍ଚଳିକ ଟିଭି ଚ୍ୟାନେଲ୍‌ରେ ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ମୋଦି ଓ ଇଭାଙ୍କାଙ୍କ ଡିନରର ସିଧା ପ୍ରସାରଣ। ଚକିତ ହୋଇପଡ଼ିଥିଲେ ସମସ୍ତେ। ଏହା କେମିତି ସମ୍ଭବ ହେଲା ? ସଙ୍ଗେ ସଙ୍ଗେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟରୁ ହାଇଦ୍ରାବାଦ୍‌ ପୁଲିସ କମିସନରଙ୍କ ପାଖକୁ ଆସିଲା ଫୋନ୍‌। ଏତେ ବଡ଼ ସୁରକ୍ଷା କୋହଳ ହେଲା କେମିତି?

ଘଟଣାଟି ଏମିତି, ଗଣମାଧ୍ୟମ ସଂସ୍ଥାଗୁଡ଼ିକୁ ସିନା ଭିତରକୁ ଯିବାକ ଅନୁମତି ମିଳି ନଥିଲା ହେଲେ ପ୍ରଧାନମନ୍ତ୍ରୀ ଓ ଇଭାଙ୍କାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ୍‌ ପକ୍ଷରୁ ସେଠାରେ ସିସିଟିଭି ଖଞ୍ଜାଯାଇଥିଲା। ଏହାର ନିୟନ୍ତ୍ରଣ ହାଇଦ୍ରାବାଦ୍‌ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ରେ ରଖାଯାଇଥିଲା। ପୁଲିସ ଅଧିକାରୀମାନେ ସେଠାରେ ବସି ଫଲକନାମା ପ୍ୟାଲେସ୍‌ ଡାଇନିଙ୍ଗ ହଲ୍‌ ଉପରେ ନଜର ରଖିଥିଲେ।

ଏହାର ମୌକା ନେଲା ଏକ ଆଞ୍ଚଳିକ ଟିଭି ଚ୍ୟାନେଲ୍‌। ଉକ୍ତ ଚାନେଲ୍‌ର କିଛି କର୍ମଚାରୀ ପୁଲିସ କଣ୍ଟ୍ରୋଲ୍‌ ରୁମ୍‌ ଭିତରେ ପ୍ରବେଶ କରି ସେହି ସିସିଟିଭିର ସଂଯୋଗ ହାସଲ୍‌ କରି ତାହାକୁ ନିଜ ଚ୍ୟାନେଲ୍‌ରେ ପ୍ରସାରଣ କରି ଦେଇଥିଲେ।

ଟିଭ ସ୍କ୍ରିନ୍‌ରେ ପ୍ରଧାନମନ୍ତ୍ରୀ ଓ ଇଭାଙ୍କାଙ୍କ ଡିନର୍‌ ଦୃଶ୍ୟମାନ ହେବା ପରେ ବିଚଳିତ ହୋଇ ଏସ୍‌ପିଜି ଡାଇରେକ୍ଟର ଏକେ ସିହ୍ନା ତେଲେଙ୍ଗାନାର ଡାଇରେକ୍ଟର ଜେନେରାଲ୍‌ ଅଫ୍‌ ପୁଲିସ୍‌ ଏମ୍‌ ମହେନ୍ଦ୍ର ରେଡ୍ଡିଙ୍କୁ କଲ୍‌ କରିଥିଲେ। କଲ୍‌ କରିବା ପରେ ଟିଭିରେ ଦୃଶ୍ୟମାନ ହେଉଥିବା ଏହି ଆପତ୍ତିଜନକ ପ୍ରସାରଣ ଉପରେ କ୍ଷୋଭ ପ୍ରକାଶ କରିଥିଲେ। ମହେନ୍ଦ୍ର ର୍ଡେଡି ଘଟଣା ସଂପର୍କରେ ଅବଗତ ହେବା ପରେ ଟିଭିରେ ଚାଲିଥିବା ସେହି ପ୍ରସାରଣକୁ ତୁରନ୍ତ ବନ୍ଦ କରି ଦେଇଥିଲେ।

ସମ୍ବନ୍ଧିତ ଖବର