ଜର୍ସି ନମ୍ବର ୧୦: ‘ଭଗବାନ’ଙ୍କର ଥିଲା; ଆଉ କେବଳ ‘ଭଗବାନ’ଙ୍କର ହିଁ ହୋଇ ରହିବ!

ନୂଆଦିଲ୍ଲୀ: ଭାରତର ସଂସ୍କୃତି ଓ ପରମ୍ପରା ଅନ୍ୟମାନଙ୍କ ଠାରୁ ଭିନ୍ନ ଏବଂ ସ୍ୱତନ୍ତ୍ର। ପୁଣି, ସେଥିରେ ଯଦି ଭଗବାନଙ୍କ ସଂପୃକ୍ତି ରହିଲା, ତେବେ କଥା ସରିଲା। କାରଣ, ଏଥିରେ ଯଦି କୌଣସି ସାମାନ୍ୟରୁ ସାମାନ୍ୟତମ ଦୋଷ ବା ତ୍ରୁଟି ରହିଯାଏ; ତେବେ ତା’କୁ କୌଣସି ଭାରତୀୟ, କୌଣସି ପରିସ୍ଥିତିରେ ବି ବରଦାସ୍ତ କରିବେ ନାହିଁ। ଏହିପରି, ଏକ ଘଟଣାର ସଦ୍ୟତମ ପ୍ରମାଣ ଦେଖିବାକୁ ମିଳିଛି କ୍ରିକେଟର ‘ଭଗବାନ୍‌’ କୁହାଯାଉଥିବା ସଚିନ୍‌ ତେନ୍ଦୁଲଙ୍କର ଜର୍ସିକୁ ନେଇ।

କ୍ରିକେଟ ପାଗଳ ଦେଶ ଭାରତରେ ‘କ୍ରିକେଟର ଭଗବାନ’ ହେଉଛନ୍ତି ସଚିନ୍‌। ଦେଶର ପ୍ରତ୍ୟେକ କ୍ରିକେଟ୍‌ ପ୍ରେମୀଙ୍କ ହୃଦୟରେ ସଚିନ୍‌ଙ୍କର ରହିଛି ଏକ ସ୍ୱତନ୍ତ୍ର ସ୍ଥାନ। ଟିମ୍‌ ଇଣ୍ଡିଆର ଜର୍ସି ନମ୍ବର ୧୦ କହିଲେ କେବଳ ମାତ୍ର ସଚିନ୍‌ଙ୍କୁ ହିଁ ବୁଝାଇ ଥାଏ। କାରଣ, ଭାରତୀୟ କ୍ରିକେଟରେ ନିଜର ୨୪ ବର୍ଷର ଏକ ସଫଳ କ୍ୟାରିୟର ପରେ ୨୦୧୩ ନଭେମ୍ବରରେ ସଚିନ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ନିଜର ଅବସର ଗ୍ରହଣ କରିବା ପର୍ଯ୍ୟନ୍ତ ଜର୍ସି ନମ୍ବର ୧୦ ଥିଲା କେବଳ ମାତ୍ର ସଚିନ୍‌ଙ୍କର। ସଚିନ୍‌ ଯେତେବେଳେ ବି ମଇଦାନ୍‌କୁ ଓହ୍ଲାଉଥିଲେ, ସେ ପରିଧାନ କରୁଥିଲେ ଜର୍ସି ନମ୍ବର ୧୦। ନିଜ ଅର୍ନ୍ତଜାତୀୟ କ୍ରିକେଟ୍‌ କ୍ୟାରିୟରର ଶେଷ ମ୍ୟାଚ୍‌ ୨୦୧୨ ମାର୍ଚ୍ଚ ୧୦ ତାରିଖରେ ପାକିସ୍ତାନ ବିପକ୍ଷରେ ଖେଳିବା ବେଳେ ମଧ୍ୟ ସଚିନ୍‌ ପରିଧାନ କରିଥିଲେ ଜର୍ସି ନମ୍ବର ୧୦।

ତେବେ, କ୍ରିକେଟରୁ ସଚିନ୍‌ ଅବସର ନେବା ପରେ ଜର୍ସି ନମ୍ବର ୧୦କୁ ଟିମ୍‌ ଇଣ୍ଡିଆର ଆଉ କୌଣସି ଖେଳାଳି ପରିଧାନ କରି ମଇଦାନକୁ ଓହ୍ଲାଇବାକୁ ସାହସ ଜୁଟାଇ ପାରି ନ ଥିଲେ। ଫଳରେ ଜର୍ସି ନମ୍ବର ୧୦ଟି ସେମିତି ଅବ୍ୟବହୃତ ହୋଇ ରହିଥିଲା ବୋର୍ଡ ଅଫ୍‌ କ୍ରିକେଟ୍‌ କଣ୍ଟ୍ରୋଲ ଇନ୍‌ ଇଣ୍ଡିଆ (ବିସିସିଆଇ)ଙ୍କ ହେପାଜତରେ।

Mykhel

ହେଲେ, ଟିମ୍‌ ଇଣ୍ଡିଆରେ ନୂତନ ଭାବେ ନିଜ କ୍ୟାରିୟର ଆରମ୍ଭ କରିବାକୁ ଯାଉଥିବା ମୁମ୍ବାଇର ଦ୍ରୁତ ବୋଲର ସର୍ଦ୍ଦୁଲ୍‌ ଠାକୁର ନିଜ ପାଇଁ ଜର୍ସି ନମ୍ବର ୧୦କୁ ପସନ୍ଦ କରିଥିଲେ। ବିସିସିଆଇ ମଧ୍ୟ ଠାକୁର୍‌ଙ୍କ ପସନ୍ଦ କ୍ରମେ ତାଙ୍କୁ ଜର୍ସି ନମ୍ବର ୧୦ ପ୍ରଦାନ କରିଥିଲେ। ହେଲେ, ସର୍ଦ୍ଦୁଲ ଠାକୁର ଯେତେବେଳେ ତାଙ୍କ ଜୀବନର ପ୍ରଥମ ମ୍ୟାଚ ଶ୍ରୀଲଙ୍କା ବିପକ୍ଷରେ ଖେଳିବା ପାଇଁ ଗତ ଅଗଷ୍ଟରେ ଜର୍ସି ନମ୍ବର ୧୦ ପରିଧାନ କରି ମଇଦାନକୁ ଓହ୍ଲାଇଲେ ସେତେବେଳେ ‘ଭଗବାନ’ ପ୍ରେମୀ ଭକ୍ତମାନେ ଏହାକୁ ବରଦାସ୍ତ କରିପାରି ନଥିଲେ। ଫଳରେ ସୋସିଆଲ ମିଡିଆ ଠାରୁ ଆରମ୍ଭ କରି ସବୁଆଡ଼େ ସର୍ଦ୍ଦୁଲ ଠାକୁରଙ୍କ ଏହି ଧୃଷ୍ଟତା ପାଇଁ ଆରମ୍ଭ ହୋଇଗଲା ଆଲୋଚନା, ସମାଲୋଚନା ଓ କଟାକ୍ଷ। ସାଥୀ ଖେଳାଳିମାନେ ସୁଦ୍ଧା ଏଥିପାଇଁ ତାଙ୍କୁ ସମାଲୋଚନା କରିବାକୁ କୁଣ୍ଠା ବୋଧ କଲେ ନାହିଁ। ପରିସ୍ଥିତ କ୍ରମେ ଏପରି ହେଲା ଯେ ସର୍ଦ୍ଦୁଳ ତାଙ୍କ ନିଜ ଆଡ଼ୁ ଜର୍ସି ନମ୍ବର ୧୦କୁ ବିସିସିଆଇ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିବାକୁ ବାଧ୍ୟ ହେଲେ।

ଏପରି ଘଟଣାରେ ବିସିସିଆଇ ଏବେ ଆନୁଷ୍ଠାନିକ ଭାବେ ଘୋଷଣା କରି ନଥିଲେ ସୁଦ୍ଧା ଅଣ-ଆନୁଷ୍ଠାନିକ ଭାବେ ଜର୍ସି ନମ୍ବର ୧୦କୁ ଟିମ୍‌ ଇଣ୍ଡିଆରୁ ଅବସର ଦେଇ ଦେଇଛନ୍ତି। ବିସିସିଆଇ କହିଛନ୍ତି ଯେ ଏଣିକି କୌଣସି ଅନ୍ତର୍ଜାତୀୟ ଦିନିକିଆ କିମ୍ବା ଟି-ଟେ୍ଵଣ୍ଟି ମ୍ୟାଚ ସମୟରେ ଜର୍ସି ନମ୍ବର ୧୦କୁ ଆଉ କୌଣସି ଖେଳାଳିଙ୍କୁ ପ୍ରଦାନ କରାଯିବ ନାହିଁ। ପ୍ରତ୍ୟକ୍ଷରେ ନହେଲେ ମଧ୍ୟ ପରୋକ୍ଷରେ ବିସିସିଆ ସ୍ୱୀକାର କରି କହିଛନ୍ତି ଜର୍ସି ନମ୍ବର ୧୦ ସଚିନ୍‌ଙ୍କର ଥିଲା; ଆଉ କେବଳ ସଚିନଙ୍କର ହିଁ ରହିବ।

ସମ୍ବନ୍ଧିତ ଖବର