‘ଶତ ପ୍ରତିଶତ ଅସହମତ’ ଡିଏମକେ ନେତା ଏ.ରାଜାଙ୍କ ବିବାଦୀୟ ବୟାନକୁ ନେଇ କଂଗ୍ରେସର ପ୍ରତିକ୍ରିୟା

ନୂଆଦିଲ୍ଲୀ: ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ବପୂର୍ଣ୍ଣ ଦଳ ଡିଏମକେ ନେତା ଏ.ରାଜାଙ୍କ ବିବାଦୀୟ ମନ୍ତବ୍ୟ କଂଗ୍ରେସ ଓ ଅନ୍ୟ ସହଯୋଗୀ ଦଳଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଏ. ରାଜାଙ୍କ ବିବାଦୀୟ ମନ୍ତବ୍ୟକୁ କଂଗ୍ରେସ ନିନ୍ଦା କରିବା ସହ ୧୦୦ ପ୍ରତିଶତ ଅସହମତି ପ୍ରକାଶ କରିଛି।

ଦଳର ସୋସିଆଲ ମିଡିଆ ବିଭାଗ ମୁଖ୍ୟ ସୁପ୍ରିୟା ଶ୍ରୀନେତ ମଧ୍ୟ କହିଛନ୍ତି ଯେ ନେତାମାନେ ସଂଯମର ସହ କଥା ବାର୍ତ୍ତା କରିବା ଉଚିତ୍ । ଗତକାଲି ଦ୍ରାବିଡ଼ ମୁନେତ୍ର କଜଗମ (ଡିଏମକେ) ସାଂସଦ ଏ. ରାଜା କହିଥିଲେ ଯେ ଭାରତ କେବେ ବି ଏକ ରାଷ୍ଟ୍ର ନଥିଲା, କିନ୍ତୁ ଏହା ଏକ ଉପମହାଦେଶ ଯେଉଁଥିରେ ଭିନ୍ନ ଅଭ୍ୟାସ ଏବଂ ପରମ୍ପରା ରହିଛି ।

ରାଜା ଏକ ଭିଡିଓରେ ଦଳ ପକ୍ଷରୁ ଆୟୋଜିତ ଏକ ସଭାକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳୁଛି, ଯେଉଁଥିରେ ସେ କହୁଛନ୍ତି, “ଭାରତ ଏକ ରାଷ୍ଟ୍ର ନୁହେଁ। ଏହି କଥାକୁ ଭଲ ଭାବରେ ବୁଝନ୍ତୁ । ଭାରତ କେବେ ବି ଏକ ରାଷ୍ଟ୍ର ହୋଇନାହିଁ । ଗୋଟିଏ ରାଷ୍ଟ୍ର ଗୋଟିଏ ଭାଷା, ଗୋଟିଏ ପରମ୍ପରା ଓ ଗୋଟିଏ ସଂସ୍କୃତିକୁ ପ୍ରତିଫଳିତ କରିଥାଏ ଏବଂ ଏଭଳି ବୈଶିଷ୍ଟ୍ୟ ଏକ ରାଷ୍ଟ୍ର ଗଠନ କରିଥାଏ। ସେ ମଧ୍ୟ ଭଗବାନ ରାମଙ୍କ ବିରୋଧରେ ମନ୍ତବ୍ୟ ଦେଇଥିଲେ ।

ସେ ଯାହା କହିଛନ୍ତି, ସେଥିରେ ମୁଁ ଶତ ପ୍ରତିଶତ ସହମତ ନୁହେଁ। ଏଭଳି ବୟାନକୁ ମୁଁ ସମ୍ପୂର୍ଣ୍ଣ ନିନ୍ଦା କରୁଛି ବୋଲି ଶ୍ରୀନେତ କହିଛନ୍ତି।

ଗତ ବର୍ଷ ଡିଏମକେ ନେତା ଉଦୟନିଧି ଷ୍ଟାଲିନ ମଧ୍ୟ ସନାତନ ଧର୍ମ ବିରୋଧୀ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ।

 

ସମ୍ବନ୍ଧିତ ଖବର