ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅଧିକାରୀ ଭାବେ ପରିଚୟ ଦେଇ ଜମ୍ମୁ ଓ କଶ୍ମୀରର ପଦସ୍ଥ ଅଧିକାରୀଙ୍କୁ ଭେଟିଥିବା ଠକ ଗିରଫ

ଜମ୍ମୁ: ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପଦସ୍ଥ ଅଧିକାରୀ ବୋଲି ପରିଚୟ ଦେଇ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରର ପଦସ୍ଥ ସରକାରୀ ଅଧିକାରୀମାନଙ୍କ ସହିତ ଏକାଧିକ ବୈଠକ କରିଥିବା ଜଣେ ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଛି।

ସଂଗୃହୀତ ତଥ୍ୟ ଅନୁସାରେ, ଅଭିଯୁକ୍ତ ଠକ ହେଉଛନ୍ତି କିରଣ ଭାଇ ପଟେଲ୍‌। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦେଶକ ବୋଲି ପରିଚୟ ଦେଇଥିଲେ। ଗତବର୍ଷ ଅକ୍ଟୋବର ମାସରୁ ସେ କଶ୍ମୀର ଉପତ୍ୟକା ଗସ୍ତରେ ଅଛନ୍ତି। ଗିରଫ ହେବା ପୂର୍ବରୁ ସେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ଉରିସ୍ଥିତ କାମାନ୍‌ ପୋଷ୍ଟ୍‌ ଏବଂ ଶ୍ରୀନଗରର ଲାଲ୍‌ ଚୌକ୍‌ ମଧ୍ୟ ଗସ୍ତ କରିସାରିଥିଲେ।

ଶ୍ରୀନଗର ଅନ୍ତର୍ଗତ ନିଶାନ୍ତ ଥାନାରେ ଦାଏର କରାଯାଇଥିବା ‘ଏଫ୍‌ଆଇଆର୍‌’ ଅନୁସାରେ, ଏହି ଥାନା ଅଧୀନ ଏବଂ କଶ୍ମୀର ଉପତ୍ୟକାର ଅନ୍ୟାନ୍ୟ ଅଞ୍ଚଳରେ କିରଣ ପଟେଲ୍ ବିଭିନ୍ନ କାର୍ଯ୍ୟକଳାପରେ ଜଡ଼ିତ ଥିଲେ। ତାଙ୍କୁ ସରକାରୀ ଆତିଥେୟତା, ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ଏବଂ ବିଳାସମୟ ହୋଟେଲ୍‌ରେ ଗୋଟାଏ ରୁମ୍‌ ଯୋଗାଇ ଦିଆଯାଇଥିଲା।

Image Courtesy of NDTV

ଉକ୍ତ ଠକ ଏତେ ଦିନ ପର୍ଯ୍ୟନ୍ତ କାହିଁକି ଧରା ପଡ଼ି ନ ଥିଲା ବୋଲି ଜମ୍ମୁ ଓ କଶ୍ମୀର ପୁଲିସ ପୁଲ୍‌ୱାମାର ଡେପୁଟି କମିସନର୍‌ ବଶୀର୍‌ ଉଲ୍‌ ହକ୍‌ ଏବଂ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଜୁଲ୍‌ଫକର୍‌ ଆଜାଦ୍‌ଙ୍କୁ ପଚରା ଉଚରା କରିଛି।

ଘଟଣାର ତଦନ୍ତରେ ଗୁଜରାଟ ପୁଲିସର ଗୋଟାଏ ଟିମ୍‌ ମଧ୍ୟ ଯୋଗ ଦେଇଛି।

ଏପର୍ଯ୍ୟନ୍ତ ଜମ୍ମୁ ଓ କଶ୍ମୀର ପୁଲିସ ଘଟଣା ସଂକ୍ରାନ୍ତରେ ନିରବ ରହିଛି। କିନ୍ତୁ, ବିଶେଷସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ରୀୟ ଏଜେନ୍‌ସି ଠକ କିରଣ ପଟେଲ୍‌ଙ୍କ ସଂକ୍ରାନ୍ତରେ ଆଭାସ ପାଇବା ଆଗରୁ ‘ସିଆଇଡି’ ବ୍ରାଞ୍ଚ୍‌ ତାଙ୍କୁ ଧରିଥିଲା।

ସମ୍ବନ୍ଧିତ ଖବର