କରୋନା ଭାଇରସ୍‌: ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୩୧କୁ ବୃଦ୍ଧି, ବାୟୋମେଟ୍ରିକ୍‌ ଉପରେ ରୋକ୍‌

ନୂଆଦିଲ୍ଲୀ: ଭାରତ ସମେତ ପୂରା ବିଶ୍ବରେ କରୋନା ଭାଇରସ୍‌କୁ ନେଇ ସଙ୍କଟ ବଢ଼ିଯାଇଛି। ଭାରତରେ ସଂକ୍ରମଣ ଦିନକୁ ଦିନ ବଢ଼ୁଥିବାରୁ ଏଥିପାଇଁ ବ୍ୟାପକ ସତର୍କତା ପଦକ୍ଷେପ ଗ୍ରହଣ କରାଯାଇଛି। କେନ୍ଦ୍ର ସରକାର ସମସ୍ତ ଦପ୍ତରରେ ୩୧ ପର୍ଯ୍ୟନ୍ତ ବାୟୋମେଟ୍ରିକ୍‌ ହାଜିରା ଉପରେ ରୋକ୍‌ ଲଗାଇଛନ୍ତି। ଦିଲ୍ଲୀରେ ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ଘୋଷଣା କରାଯାଇଛି। କରୋନା ମୁକାବିଲା ପାଇଁ ସ୍ଥଳସେନା, ବାୟୁସେନା ଏବଂ ନୌସେନା ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି ଚାଲିଛି। ଆଜି ପଶ୍ଚିମ ଦିଲ୍ଲୀର ଉତ୍ତମ ନଗର‌ରେ ଆଉ ଜଣେ ବ୍ୟକ୍ତି ଭାଇରସ୍‌ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏଥିସହ ଭାରତରେ କରୋନା ଆକ୍ରାନଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଉକ୍ତ ବ୍ୟକ୍ତି ଜଣଙ୍କ ନିକଟରେ ଥାଇଲାଣ୍ଡ୍‌ ଏବଂ ମାଲେସିଆ ଯାଇଥିଲେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସ୍ବତନ୍ତ୍ର ସଚିବ ସଂଜୀବ କୁମାର କହିଛନ୍ତି। ଭାଇରସ୍‌ ସ୍ପଷ୍ଟ ହେବାପରେ ଉକ୍ତ ବ୍ୟକ୍ତିଙ୍କୁ ହସ୍ପିଟାଲ୍‌ କ୍ବାରେଣ୍ଟିନ୍‌ରେ ରଖାଯାଇଛି। କରୋନା ସନ୍ଦେହରେ ଭାରତରେ ୩୦,୦୦୦ ଲୋକଙ୍କୁ ନିରୀକ୍ଷଣରେ ରଖାଯାଇଛି। ଦେଶରେ ଏବେ ୨୮ ଜଣ ସକ୍ରିୟ ରୋଗୀ ଅଛନ୍ତି। ଅନ୍ୟପକ୍ଷେ କେରଳର ୩ କରୋନା ରୋଗୀ ସୁସ୍ଥ ଅଛନ୍ତି ଏବଂ ସେମାନେ ହସ୍ପିଟାଲ୍‌ରୁ ମୁକ୍ତ ହୋଇ ସାରିଛନ୍ତି। ତେ‌ବେ ସମସ୍ତ କରୋନା ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ‌ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ବିବୃତି ଜାରି କରି କୁହାଯାଇଛି। ୩୧ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୧୬ ଜଣ ଇଟାଲୀୟ ନାଗରିକ ଅଛନ୍ତି।

କରୋନା ମୁକାବିଲା‌ ପାଇଁ ତିନି ସେନା ପକ୍ଷରୁ ଜୋର୍‌ସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ଥଳ ସେନା ଏବଂ ବାୟୁସେନା ପକ୍ଷରୁ ଏକ ନିର୍ଦ୍ଦେଶାବଳୀ ଜାରି କରି ସମସ୍ତ ବଡ଼ ଧରଣର କାର୍ଯ୍ୟକ୍ରମକୁ ବନ୍ଦ କରିବାପାଇଁ କୁହାଯାଇଛି। ଆସନ୍ତା ସପ୍ତାହରେ ସିଆଇଏସଏଫ୍‌ର ବାର୍ଷିକ ଉତ୍ସବ ଥିବାବେଳେ ଭାଇରସ୍‌ ସଂକ୍ରମଣ ଭୟ ରହିଥିବାରୁ ଏହି ବର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ପଂଜାବରେ ଅଟାରି-ବାଘା ସୀମାରେ ଆସନ୍ତାକାଲି ହେବାକୁ ଥିବା ରିଟ୍ରିଟ୍‌ କାର୍ଯ୍ୟକ୍ରମରେ କୌଣସି ଦର୍ଶକ ଉପସ୍ଥିତ ରହିବେ ନାହିଁ ବୋଲି ଜଣାପଡ଼ିଛି। କରୋନା ଭାଇରସ୍‌ ସଂକ୍ରାନ୍ତରେ ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏବଂ ଡବ୍ଲ୍ୟୁଏଚ୍‌ଓ ଦ୍ବାରା ଜାତୀୟସ୍ତରରେ ତାଲିମ କାର୍ଯ୍ୟକ୍ରମ ପରିଚାଳନା ‌ହୋଇଛି। ସବୁ ରାଜ୍ୟରୁ ପ୍ରାୟ ୨୮୦ ସ୍ବାସ୍ଥ୍ୟ ଅଧିକାରୀ ଏହି ତାଲିମ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ। ଭାରତ‌ରେ ଏବେ କରୋନା ପ୍ରଭାବିତ ଦେଶରୁ ଫେରିଥିବା ଲୋକଙ୍କ ସଂଖ୍ୟା ହେଉଛି ୨୮,୫୨୯।

ସମ୍ବନ୍ଧିତ ଖବର