ନିର୍ଦ୍ଦି‌ଷ୍ଟ କେତେକ ଜିଲ୍ଲା ମଧ୍ୟରେ କୋଭିଡ୍‌-୧୯ ଗୋଷ୍ଠୀ ସଂକ୍ରମଣ ସୀମିତ: ହର୍ଷ ବର୍ଦ୍ଧନ

ନୂଆଦିଲ୍ଲୀ: ସୀମିତ ସଂଖ୍ୟକ ରାଜ୍ୟର ନିର୍ଦ୍ଦିଷ୍ଟ କେତେକ ଜିଲ୍ଲାରେ କୋଭିଡ୍‌-୧୯ ଭୂତାଣୁ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥା ରବିବାର ଦିନ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର୍‌ ହର୍ଷ ବର୍ଦ୍ଧନ ସ୍ବୀକାର କରିଛନ୍ତି। ସାପ୍ତାହିକ ସାମାଜିକ ଗଣମାଧ୍ୟମ କାର୍ଯ୍ୟକ୍ରମ ‘ରବିବାର ସମ୍ବାଦ’ରେ ଉଦ୍‌ବୋଧନ ଦେଇ ସେ କହି‌ଛନ୍ତି, କିନ୍ତୁ, ଦେଶବ୍ୟାପୀ ଗୋଷ୍ଠୀ ସଂକ୍ରମଣ ହେଉନାହିଁ।

ରାଜ୍ୟର କେତେକ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହୋଇଥିବା କଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସ୍ବୀକାରୋକ୍ତି ସମ୍ପର୍କରେ ମନ୍ତବ୍ୟ ଦେବା ଲାଗି କୁହାଯିବାରୁ ‌କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ତାହା ସ୍ବୀକାର କରିବା ସହ କହିଲେ ଯେ, କେତେକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଏମିତି ଘଟେ ବୋଲି ବିଶ୍ବାସ କରାଯାଏ। କେତେକ ରାଜ୍ୟର ବିଭିନ୍ନ ‘ପକେଟ୍‌’ରେ ଗୋଷ୍ଠୀ ସଂକ୍ରମଣ ରିପୋର୍ଟ ହୋଇଛି। ଦେଶ ସାରା ଏହା ଘଟୁନାହିଁ।

Image Courtesy of India Today

ଭାରତରେ କୋଭିଡ୍‌-୧୯ ଗୋଷ୍ଠୀ ସଂକ୍ରମଣ ହୋଇନାହିଁ ବୋଲି କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ଅସ୍ବୀକାର କରୁଥିଲେ ମଧ୍ୟ ଜୁଲାଇ ମାସରେ ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥା କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ସୁନିଶ୍ଚିତ କରି କହିଥିଲେ। ଦୁଇ ଉପକୂଳବର୍ତ୍ତୀ ହାମ୍‌ଲେଟ୍‌ ପୁନ୍ତୁରା ଏବଂ ପୁଲ୍ଲିବିଲାରେ ଗୋଷ୍ଠୀ ସଂକ୍ରମଣ ହୋଇଥିଲା। ଜୁଲାଇ-ଅଗଷ୍ଟ ମାସରେ ଗୋଷ୍ଠୀ ସଂକ୍ରମଣ ହୋଇଥିବା କଥା ଆସାମ ମଧ୍ୟ ସୂଚନା ଦେଇଥିଲା।

ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ହୋଇଛି ବୋଲି ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁନିଶ୍ଚିତ କରି କହିଛନ୍ତି। କୋଭିଡ୍-୧୯ ଗୋଷ୍ଠୀ ସଂକ୍ରମଣ ଦେଖାଯାଇଥିବା କଥା ଦୁର୍ଗାପୂଜା ପୂର୍ବରୁ ସେ ଜନସାଧାରଣଙ୍କୁ ସତର୍କ କରାଇ ଦେଇଛନ୍ତି।

 

ସମ୍ବନ୍ଧିତ ଖବର