ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ପଣ୍ୟବାହୀ ଜାହାଜକୁ ଉଦ୍ଧାର କଲା ଭାରତୀୟ ନୌସେନା

ନୂଆଦିଲ୍ଲୀ: ଭାରତ ଓ ଆରବ ମହାସାଗରରେ ଭାରତୀୟ ନୌସେନାର ବଢୁଥିବା ଶକ୍ତି ଓ ପ୍ରଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି । ପ୍ରାୟ ୪୦ ଘଣ୍ଟାର ଅପରେସନ ଚଳାଇ ନୌସେନାର କମାଣ୍ଡୋମାନେ ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ଏକ ଜାହାଜକୁ ଉଦ୍ଧାର କରିବାକୁ ସଫଳ ହୋଇଛନ୍ତି ।

ଭାରତୀୟ ନୌସେନାର ଜଣେ ଅଧିକାରୀ କହିଛନ୍ତି ଯେ ଅପହରଣ ହୋଇଥିବା ଜାହାଜ ଏମଭି ରୁଏନରେ ପ୍ରାୟ ୩୫ରୁ ଅଧିକ ଜଳଦସ୍ୟୁ ପ୍ରବେଶ କରିଥିଲେ । ଅନ୍ତର୍ଜାତୀୟ ନିୟମ ଅନୁଯାୟୀ ଡକାୟତ ଜାହାଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ନୌସେନା କହିଛି। ଉକ୍ତ ପଣ୍ୟବାହୀ ଜାହାଜକୁ ମୁକୁଳାଇବାକୁ ଭାରତୀୟ ନୌସେନା ଜାହାଜ ଆସୁଥିବା ଦେଖି ପରେ ଜଳଦସ୍ୟୁମାନେ ଗୁଳିଚଳାଇଥିଲେ । କିନ୍ତୁ ନୌସେନା କମାଣ୍ଡୋମାନେ ସଫଳତାର ସହ ଅପରେସନକୁ ସଂପୂର୍ଣ୍ଣ କରିଥିଲେ ।

ସୂଚନା ଅନୁସାରେ ପ୍ରାୟ ୪୦ ଘଣ୍ଟା ଧରି ଲଗାତାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଇଏନଏସ କୋଲକାତା ସମସ୍ତ ୩୫ ଜଣ ଡକାୟତଙ୍କୁ ଘେରି ଆତ୍ମସମର୍ପଣ କରିବାକୁ ସକ୍ଷମ ହୋଇଥିଲା । ଫଳରେ କ୍ରୁ ମେମ୍ବରମାନଙ୍କୁ ବିନା କୌଣସି କ୍ଷୟକ୍ଷତିରେ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଆଇଏନଏସ କୋଲକାତା ଭାରତୀୟ ଉପକୂଳରୁ ପ୍ରାୟ ୧୪୦୦ ଏନଏମ (୨୬୦୦ କିଲୋମିଟର) ଦୂରରେ ଏହି ଅପରେସନ କରିଥିଲା ।

ସମ୍ବନ୍ଧିତ ଖବର