ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ସେନାର ୨ ଅଧିକାରୀଙ୍କ ସମେତ ୭ ମୃତ

ଇସଲାମାବାଦ: ପାକିସ୍ତାନରେ ପୁଣି ଥରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ଦୁଇ ଅଧିକାରୀ ଏବଂ ପାକିସ୍ତାନୀ ସେନାର ୭ ଜଣ ସୈନିକ ନିହତ ହୋଇଛନ୍ତି। ତେବେ ଏହାର ପ୍ରତିଶୋଧ ନେଇ ପାକିସ୍ତାନୀ ସେନା ସମସ୍ତ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଛି। ଆଫଗାନିସ୍ତାନ ସୀମାବର୍ତ୍ତୀ ଉତ୍ତର ୱାଜିରିସ୍ତାନରେ ଏହି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ପାକିସ୍ତାନୀ ସେନା ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ୬ଜଣ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ କରୁଥିଲେ। ତେବେ ସେମାନଙ୍କ ଉଦ୍ୟମ ସେନା ଦ୍ୱାରା ପଣ୍ଡ ହୋଇଛି। ଏହା ପରେ ଆତଙ୍କବାଦୀମାନେ ବିସ୍ଫୋରକ ଭର୍ତ୍ତି ଏକ ଗାଡିକୁ ପୋଷ୍ଟ ଭିତରକୁ ନେଇ ଯାଇଥିଲେ ଏବଂ ପରେ ସେଠାରେ ବଡ଼ ଧରଣର ବିସ୍ଫୋରଣ ଘଟିଥିଲା। ଉଭୟ ପାର୍ଶ୍ୱରୁ ହୋଇଥିବା ଗୁଳି ବିନିମୟରେ ଲେଫ୍ଟନାଣ୍ଟ କର୍ନଲ ସୟଦ କାଶିଫ ଅଲି ଏବଂ ପାକିସ୍ତାନୀ ସେନାର କ୍ୟାପଟେନ ମହମ୍ମଦ ଅହମ୍ମଦ ବଦରଙ୍କ ମୃତ୍ୟୁ ଘଟିଛି।
ପାକିସ୍ତାନୀ ସେନାର ମିଡିଆ ୱିଙ୍ଗ ଅନୁଯାୟୀ ଏହି ଅଞ୍ଚଳରେ ଉପସ୍ଥିତ ଥିବା ଅନ୍ୟ ଆତଙ୍କବାଦୀଙ୍କ ଏନକାଉଣ୍ଟର ପାଇଁ ଏକ ଅପରେସନ ଚାଲିଛି। ଏହି ଆତଙ୍କବାଦୀ ଆକ୍ରମଣକୁ ଖାଇବର ପାସ୍ତୁନଖ୍ବା ମୁଖ୍ୟମନ୍ତ୍ରୀ ଅଲି ଅମିନ ଗଣ୍ଡାପୁର ନିନ୍ଦା କରିଛନ୍ତି।

ପାକିସ୍ତାନ ଅନୁସନ୍ଧାନ ଏବଂ ସୁରକ୍ଷା ଅଧ୍ୟୟନ କେନ୍ଦ୍ରର ବାର୍ଷିକ ସୁରକ୍ଷା ରିପୋର୍ଟ ଅନୁଯାୟୀ, ୨୦୨୩ ମସିହାରେ ପାକିସ୍ତାନରେ ୭୮୯ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଏହି ଆକ୍ରମଣରେ ୧,୫୨୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧,୪୬୩ ଜଣ ଆହତ ହୋଇଥିଲେ। ଛଅ ବର୍ଷ ମଧ୍ୟରେ ଏହା ସର୍ବୋଚ୍ଚ ସ୍ତର ରେକର୍ଡ ବୋଲି କୁହାଯାଉଛି। ରିପୋର୍ଟରେ କୁହାଯାଇଛି ଯେ ଖାଇବର ପାସ୍ତୁନଖ୍ବା ଏବଂ ବାଲୁଚିସ୍ତାନ ପ୍ରଦେଶ ଆତଙ୍କବାଦୀ ଆକ୍ରମଣର ପ୍ରାଥମିକ କେନ୍ଦ୍ର ପାଲଟିଛି। ୮୪% ଆକ୍ରମଣ ଏବଂ ୯୦% ରୁ ଅଧିକ ମୃତ୍ୟୁ ଏହି ଅଞ୍ଚଳରେ ଘଟିଛି।

ସମ୍ବନ୍ଧିତ ଖବର