ନୂଆ ୫୯ଟି ଲାଗିବା ପରେ ୧୧୦ ସିସିଟିଭି କ୍ୟାମେରା କାର୍ଯ୍ୟକ୍ଷମ

୪ଦିନ ପରେ ଏନଏଚ୍ ୨୬ ଓ ୩୨୬ରେ ହିଁ କଟିବ ଇ-ଚାଲାଣ

ଜୟପୁର: ଜୟପୁର ସହର ଦେଇ ଯାଇଥିବା ଏନଏଚ୍ ୨୬(ଗାନ୍ଧୀଛକରୁ ବୋରିଗୁମ୍ମା ରାସ୍ତା-ଏଲଆଇସି କାର୍ଯ୍ୟାଳୟ) ଓ ଏନଏଚ ୩୨୬(ଗ୍ଲୋକାଲ ହସ୍ପିଟାଲ ଛକରୁ ଗାନ୍ଧୀଛକ) ପର୍ଯ୍ୟନ୍ତ ଲାଗିଥିବା ସିସିଟିଭି ମାଧ୍ୟମରେ ଏଣିକି ପୁଲିସ କାଟିବ ଇ-ଚାଲାଣ । ଏହା ଆସନ୍ତା ୪ଦିନ ପରେ ଇ-ଚାଲାଣ କଟାଯିବ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ ରମଣୀ ରଂଜନ ଦଳାଇ। ସହରବାସୀଙ୍କୁ ପ୍ରଥମେ ସଚେତନତା ସୃଷ୍ଟି କରି ପ୍ରଚାର ଓ ପ୍ରସାର କରାଯିବ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ। ତେବେ ସହର ମଧ୍ୟରେ ଏହାକୁ ଲାଗୁ କରାଯିବନି ବୋଲି କହିଛନ୍ତି। ବାଇକରେ ଦୁଇ ଜଣରୁ ଅଧିକା ଏବଂ ବିନା ହେଲମେଟଧାରୀ, ସିଟ୍ ବେଲଟ୍ ବାନ୍ଧି ନଥିଲେ ସିସିଟିଭି କ୍ୟାମେରାରୁ ଆସିଥିବା ଫଟୋ ଚିତ୍ରକୁ ନେଇ ଇ-ଚାଲାଣ କଟିବ ବୋଲି କହିଛନ୍ତି ଟାଉନଥାନା ଅଧିକାରୀ।

ସୂଚନାଯୋଗ୍ୟ, ନାଲକୋ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠି ୨୦ଲକ୍ଷରେ ଜୟପୁର ସହରରେ ନୂଆରେ ୫୯ଟି ସିସିଟିଭି କ୍ୟାମେରା ଗତ ମାସରେ ଲଗାଯାଇଥିଲା। ତାହା କାର୍ଯ୍ୟକ୍ଷମ ହେବାରେ ଲାଗିଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଓ ଜୟପୁର ଥାନା ଅଧିକାରୀ ରମଣୀ ରଂଜନ ଦଳାଇ। ପୂର୍ବରୁ ୮୫ଟି ସିସିଟିଭି କ୍ୟାମେରା ପୂର୍ବରୁ ଲାଗିଥିଲା। ତେବେ ଏଥିରୁ କିଛି କାମ କରୁଥିବା ବେଳେ କିଛି କାମ କରୁନଥିଲା। ଏସବୁ ଦୃଷ୍ଟିକୋଣରୁ ଏବଂ ସହରରେ ଚୋରି ଆଦି ବୃଦ୍ଧି ପାଇବା ପରେ ତତ୍କାଳୀନ ଏସଡିପିଓ ହରିଶା ବି.ସି ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ନୂଆ ସିସିଟିଭି କ୍ୟାମେରା ଲଗାଇବାକୁ ଚିଠି କରିଥିଲେ। ପୌରପାଳିକା ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପକ୍ଷରୁ ଏହାକୁ ନେଇ ତତ୍କାଳୀନ ଜିଲ୍ଲାପାଳଙ୍କୁ ଅନୁରୋଧ କରିଥିଲେ। ନାଲକୋ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ୨୦ଲକ୍ଷ ଅନୁଦାନ ଜୟପୁର ପୌରପାଳିକାକୁ ସିସିଟିଭି କ୍ୟାମେରା ଲଗାଇବାକୁ ମିଳିଥିଲା। ଏହି କ୍ରମରେ ସହରର ଗାନ୍ଧୀଛକରେ ୭ଟି, ଡାଲଚିନି ଡାବା ନିକଟରେ ୫ଟି, ୱେଲୋ ବ୍ରିଜ୍ ନିକଟରେ ୪ଟି ଲେଖାଏଁ କ୍ୟାମେରା ଲଗାଯାଇଛି।ସେଭଳି ତାରିଣୀଛକ, ପାରାବେଡ଼ା ସତ୍ୟଅଧିକାରୀ ଛକ, ବେଲ ରୋଡ, ଇନ୍ଦିରା ଛକ, ପାୱାର ହାଉସ ଛକ, ରାଜନଗର ଛକରେ ୩ଟି ଲେଖାଏଁ ଲଗାଯିବ। ଖ୍ରୀଷ୍ଠିୀୟାନ ପେଟା ଛକ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟ, ଜଗତଜନନୀ ଛକ, ୱେଲକମ୍ ଛକ , ଦୈନିକ ବଜାର , ହାନାଗୁଡା, ଗ୍ଲୋକାଲ ହସ୍ପିଟାଲ , ଲେବର ଅଫିସ୍ ଛକରେ ୨ଟି ଲେଖାଏଁ , ପାରାବେଡ଼ା ଛକ ଓ ଲକ୍ଷ୍ମୀ ପଣ୍ଡା ଛକରେ ଗୋଟିଏ ଲେଖାଏଁ ଲଗାଯାଇଛି ବୋଲି କହିଛନ୍ତି ପୌର କାର୍ଯ୍ୟନିର୍ବାହୀ ଅଧିକାରୀ।

ଗତ ୪ବର୍ଷ ତଳେ ସାଂସଦ ପାଣ୍ଟିରୁ ୧୬ଲକ୍ଷ ଓ ବିଧାୟକ ପାଣ୍ଟିରୁ ୧୬ଲକ୍ଷ ଏଭଳି ୩୨ ଲକ୍ଷ ଟଙ୍କା ବ୍ୟୟ କରି ସହରର ୨୮ଟି ୱାର୍ଡର ୨୬ଟି ଛକରେ ୮୫ଟି ସିସିଟିଭି କ୍ୟାମେରା ଲଗାଯାଇଥିଲା। ସିସିଟିଭି କ୍ୟାମେରାର ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ଦେଖାରଖା ନ କରିବା ଫଳରେ ଏବଂ ନିମ୍ନମାନର ହୋଇଥିବାରୁ ଏବେ ଅଧାରୁ ଅଧିକା ୪୨ଟି ସିସିଟିଭି କ୍ୟାମେରାରେ ରେକର୍ଡିଂ ହେଉଥିବା ବେଳେ ବଳକା ୪୩ଟି ଅଚଳ ଅବସ୍ଥାରେ ରହିଥିଲା। ପୁରୁଣାକୁ ସଜାଡ଼ିବା ପରେ ୫୧ଟି କାଯ୍ୟକ୍ଷମ ରହିଛି। ନୂଆ ଓ ପୁରୁଣା ମିଶାଇ ୧୧୦ଟି ଏବେ କାର୍ଯ୍ୟକ୍ଷମ ରହିଛି। ଟାଉନଥାନା ପରିସରରେ କରାଯାଇଥିବା କଣ୍ଟ୍ରୋଲ ରୁମକୁ ସମ୍ପୂର୍ଣ୍ଣ ରୁପେ ସଜଡ଼ାଯାଇଛି। ଆଉ ୩୪ଟିକୁ ସଜଡ଼ା ଯାଉଛି ବୋଲି କହିଛନ୍ତି ଟାଉନ ଥାନା ଅଧିକାରୀ।

 

ସମ୍ବନ୍ଧିତ ଖବର