ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗରେ ମନରେଗା ଦୁର୍ନୀତିର ଗନ୍ଧ

ରାଇରଙ୍ଗପୁର(ତୁଷାର କାନ୍ତ ମହାନ୍ତ): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉଦ୍ୟାନ କୃଷି ବିଭାଗର ମନରେଗା କାର୍ଯ୍ୟରେ ମହାଦୁର୍ନୀତିର ଗନ୍ଧ ବାରି ହେଉଥିବାର ସାଧାରଣରେ ଆଲୋଚନା ହେଉଛି | ଉକ୍ତ ବିଭାଗ ଦ୍ୱାରା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ମନରେଗା) ଅନ୍ତର୍ଗତ ରାଇରଙ୍ଗପୁର ବ୍ଲକର ବିଭିନ୍ନ ହିତାଧିକାରୀଙ୍କ ଚାଷ ଜମିରେ ଆମ୍ବ ଗଛ ଲଗାଣ କାର୍ଯ୍ୟକ୍ରମ ଚାଲିଛି । ଚଳିତ ବର୍ଷ ଜାନୁଆରୀ ମାସରେ ଖବର ପ୍ରକାଶିତ ହେବା ପରେ ସମ୍ପୂର୍ଣ୍ଣ ବ୍ଲକରେ ଉକ୍ତ ବିଭାଗର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା । ଯାହାକି ସମଗ୍ର ବ୍ଲକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା । ଉକ୍ତ ଘଟଣାଟି ଥଣ୍ଡା ନ ପଡ଼ୁଣୁ ପୁନଶ୍ଚ ରାଇରଙ୍ଗପୁର ବ୍ଲକର ବଡମଉଦା ଗ୍ରାମପଂଚାୟତର ବଡମଉଦା ଗ୍ରାମରେ ଓ ସୁଦର୍ଶନପୁର ଗ୍ରାମ ପଂଚାୟତର ଜାମବଣୀ ଗ୍ରାମରେ ଆମ୍ବ ଗଛ ଲଗାଣରେ ବ୍ୟାପକ ଅନିୟମିତତା ହୋଇଥିବାର ଅଭିଯୋଗ ହୁଏ । ହିତାଧିକାରୀମାନଙ୍କ ଅଭିଯୋଗ ଅନୁଯାୟୀ ବଡମଉଦା ଗ୍ରାମରେ ୨.୫ ହେକ୍ଟର ଜମିରେ ଲଗାଯାଇଥିବା ଆମ୍ବ ଗଛ ବଗିଚାର ହିତାଧିକାରୀ କୈଳାସ ମାଝୀ ଓ ଅନ୍ୟ ୬ଜଣଙ୍କର ଆମ୍ବ ବଗିଚା ନିର୍ମାଣ ପ୍ରକଳ୍ପର ଅଟକଳ ମୂଲ୍ୟ ୩ ଲକ୍ଷ ୨୪ ହଜାର ୫୦୬ ଟଙ୍କା । ଶୁଣ୍ଢଳ ଗ୍ରାମରେ ନିର୍ମିତ ସୂଚନା ଫଳକ ପରି ଏଠାରେ ମଧ୍ୟ ଅର୍ଦ୍ଧଲିଖିତ ସୂଚନା ଫଳକ ଜନସାଧାରଣଙ୍କୁ ଅନ୍ଧାରରେ ରଖିବା ସଦୃଶ ବୋଲି ସାଧାରଣରେ ଆଲୋଚନା ହୁଏ | ହିତାଧିକାରୀ ଶ୍ରୀଯୁକ୍ତ ମାଝୀଙ୍କ କହିବା ମୁତାବକ କାର୍ଯ୍ୟରମ୍ଭ ପୂର୍ବରୁ ଉକ୍ତ ଆମ୍ବ ବଗିଚାର ରକ୍ଷଣାବେକ୍ଷଣ ଦାୟିତ୍ୱ ବଗିଚା ଚାରିପଟେ ଗୃହପାଳିତ ପଶୁଙ୍କଠାରୁ ଆମ୍ବ ଗଛର ସୁରକ୍ଷା ନିମନ୍ତେ ବାଡ଼ ତିଆରି ଏବଂ ଗଛଗୁଡିକୁ ଜଗିବା ଦାୟିତ୍ୱ ଜଣେ ଶ୍ରମିକଙ୍କୁ ଦେବାପାଇଁ ବିଭାଗୀୟ ଅଧିକାରୀମାନେ କହିଥିଲେ । ମାତ୍ର ବିଡମ୍ବନାର ବିଷୟ ପ୍ରାୟ ଏକ ସପ୍ତାହ ଜଗିବା ପରେ ଆଉ ଜଗୁଆଳି ନ ରହିବାରୁ ଉକ୍ତ ବଗିଚାଟି ଗୋରୁଗାଈ ଛେଳିଙ୍କ ଚରାଭୂଇଁରେ ପାଲଟିଗଲା । ଯାହା ଫଳରେ ଆମ୍ବ ଗଛଗୁଡିକ ନଷ୍ଟ ହୋଇଗଲା ।

ହିତାଧିକାରୀ ଶ୍ରୀଯୁକ୍ତ ମାଝୀ ଅଭିଯୋଗ କରନ୍ତି ଆମ୍ବ ଗଛ ଲଗାଇବା ପୂର୍ଵରୁ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ସୂଚିତ କରିଥିଲେ ଯେହେତୁ ଗ୍ରାମ ନିକଟରେ ଉକ୍ତ ଆମ୍ବ ବଗିଚା ଅବସ୍ଥିତ ତେଣୁ ବାଡ଼ କରାନଗଲେ ଗ୍ରାମର ଗୃହପାଳିତ ପଶୁ ନଷ୍ଟ କରିଦେବେ । ବିଭାଗ ପକ୍ଷରୁ ବାଡ଼ ତିଆରି ହେବାର ପୂର୍ଣ୍ଣ ଆସ୍ଥା ପ୍ରକଟ କରାଯାଇ ପର ମୁହୂର୍ତ୍ତରେ ଯେନତେନ ପ୍ରକାରେଣ ବାଡ଼ ନିର୍ମାଣ କରାଯାଇ ଆମ୍ବ ଗଛ ଗୁଡିକ ନଷ୍ଟ ହୋଇଯିବା ଫଳରେ ସରକାରଙ୍କ ମନରେଗା ଯୋଜନାର ଲକ୍ଷାଧିକ ଟଙ୍କା ବର୍ବାଦ ହୋଇଥିବାରୁ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି । ସେହିପରି ସୁଦର୍ଶନପୁର ଗ୍ରାମ ପଂଚାୟତ ଅନ୍ତର୍ଗତ ଜାମବାଣୀ ଗ୍ରାମରେ ସମସ୍ଥିତି । ହିତାଧିକାରୀମାନଙ୍କ ଅଭିଯୋଗ ଆଧାରରେ ଗ୍ରାମର ଶ୍ୱେତ କୁମାର ସେଠୀ ,ଶଙ୍କର ଚରଣ ଗିରି, ଶିରିଶ ଚରଣ ସେଠୀ, ଶ୍ୟାମ ଚରଣ ମୁଣ୍ଡା, ରମାନାଥ ଗିରି, ଦୁଷ୍ମନ୍ତ ଗିରି, ଗବର୍ଦ୍ଧନ ସେଠୀ, ବାବୁଲୁ ସେଠୀ, ନଗେନ୍ଦ୍ର ସେଠୀ, ମନ କୁମାର ଗିରି, ମୋହନ ସୁନ୍ଦର ଗିରି ପ୍ରମୁଖ ୧୧ ଜଣ ହିତାଧିକାରୀ ସର୍ବମୋଟ ୪ ହେକ୍ଟର ଜମିରେ ୧୬ ଶହ ଆମ୍ବ ଚାରା ଦୀର୍ଘ ୩ ବର୍ଷ ଧରି ମନରେଗା ଯୋଜନାରେ ଲଗାଣ ଓ ରକ୍ଷଣାବେକ୍ଷଣ କରାଯାଉଅଛି । ସୂଚନା ଫଳକ ତଥ୍ୟ ଆଧାରରେ ଚଳିତ ବର୍ଷ ୨୦୨୩-୨୪ ଆର୍ଥିକ ବର୍ଷରେ ୪ ଲକ୍ଷ ୩୬ ହଜାର ଟଙ୍କାର ପ୍ରକଳ୍ପଟିର ଅଟକଳ ପରିମାଣ ରହିଅଛି ।

ମାତ୍ର ବିଡମ୍ବନାର ବିଷୟ ଉକ୍ତ ଅଂଚଳକୁ ଗୃହପାଳିତ ପଶୁଙ୍କ ଠାରୁ ରକ୍ଷା କରିବାପାଇଁ ବାଡ଼ର ବନ୍ଦୋବସ୍ତ କରାଯାଇନଥିବାବେଳେ ଆମ୍ବ ଗଛଗୁଡିକ ରକ୍ଷଣାବେକ୍ଷଣ ପାଇଁ ସାର କିମ୍ବା ଔଷଧ ସିଞ୍ଚନର ବ୍ୟବସ୍ଥା ମଧ୍ୟ୍ୟ କରାଯାଇନଥିବାର ହିତାଧିକାରୀମାନେ ଗୁରୁତର ଅଭିଯୋଗ କରିଛନ୍ତି । ଫଳସ୍ୱରୂପ ୨ ହେକ୍ଟର ଜମିରେ ଆମ୍ବ ଗଛଗୁଡିକ ଆଶାନୁରୂପ ବୃଦ୍ଧି ପାଇନଥିବାବେଳେ ଅନ୍ୟ ୨ ହେକ୍ଟର ଜମିରେ ଗୃହପାଳିତ ପଶୁଗୁଡିକ କବଳରୁ ବର୍ତ୍ତିପାରିନଥିବାର ପରିଲକ୍ଷିତ ହୁଏ । ହିତାଧିକାରୀମାନଙ୍କ ଅଭିଯୋଗ ଆଧାରରେ କେବଳ ପ୍ରଥମ ବର୍ଷ ବାଡ଼ କରାଯାଇ ଜଗୁଆଳି ରଖାଯାଇଥିଲା । ପର ବର୍ଷଗୁଡିକରେ ଏହାର ବ୍ୟତିକ୍ରମ ହେବାରୁ ସମୁଦାୟ ୩ ବର୍ଷରେ ୧୦ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଫେଲ ମାରିଥିବାରୁ ହିତାଧିକାରୀମାନଙ୍କୁ ହତୋତ୍ସାହ କରିଛି | ଉକ୍ତ ପ୍ରକଳ୍ପଟି ଚଳିତ ବର୍ଷ ଜୁନ ମାସରେ ହସ୍ତାନ୍ତର କରାଯିବାର ସୂଚନା ହିତାଧିକାରୀଙ୍କୁ ମର୍ମାହତ କରିଛି ।

ସମ୍ବନ୍ଧିତ ଖବର