ରିଲାଏନ୍ସ ମାମଲାରେ ଦିଲ୍ଲୀ ହାଇକୋର୍ଟରେ କେନ୍ଦ୍ରକୁ ଝଟ୍‌କା

ନୂଆଦିଲ୍ଲୀ: ବଙ୍ଗୋପସାଗରର କେଜି-ଡି୬ ବ୍ଲକରେ ଓଏନଜିସି ଦ୍ବାରା ପରିଚାଳିତ ଗ୍ୟାସ କ୍ଷେତ୍ରରୁ ଅଧିକାର ନଥାଇ ମୁକେଶ ଅମ୍ବାନିଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ସହିତ ବ୍ରିଟେନ କମ୍ପାନି ବ୍ରିଟିସ ପେଟ୍ରୋଲିୟମ ଏବଂ କାନାଡ଼ା କମ୍ପାନି ନିକୋ ରିସୋର୍ସେସ ଗ୍ୟାସ ସ୍ଥାନାନ୍ତର କରିଥିବା ମାମଲାରେ ଦିଲ୍ଲୀ ହାଇକୋର୍ଟରେ ଆଜି ସରକାରଙ୍କୁ ଝଟ୍‌କା ଲାଗିଛି। ପୂର୍ବରୁ ଏହି ମାମଲାରେ ଏକ ଆର୍ବିଟ୍ରେସନ ଟ୍ରିବ୍ୟୁନାଲ ରିଲାଏନ୍ସ ଓ ଏହାର ବିଦେଶୀ ସହଯୋଗୀ କମ୍ପାନି ସପକ୍ଷରେ ଦେଇଥିବା ରାୟକୁ ଦିଲ୍ଲୀ ହାଇକୋର୍ଟ କାଏମ୍ ରଖିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ କରାଯାଇଥିଲା ଯେ ରିଲାଏନ୍ସ, ବ୍ରିଟିସ ପେଟ୍ରୋଲିୟମ ଏବଂ ନିକୋ ରିସୋର୍ସେସ୍‌ ଓଏନ୍‌ଜିସିର ‌କ୍ଷେତ୍ର ପରିସରରେ ଜାଲିଆତି କରି ଗ୍ୟାସ ଉତ୍ତୋଳନ କରିଛନ୍ତି। ୨୦୧୬ ନଭେମ୍ବର ୪ରେ ‌ପେଟ୍ରୋଲିୟମ ମନ୍ତ୍ରାଳୟ ଉପରୋକ୍ତ ୩ଟି କମ୍ପାନି ଠାରୁ ୧.୪୭ ବିଲିଅନ ଡଲାର ଅର୍ଥ ପାଇବା ଲାଗି ଦାବି କରିଥିଲା। ତେବେ ଉକ୍ତ ମାମଲାରେ ଏକ ଅନ୍ତର୍ଜାତୀୟ ଟ୍ରିବ୍ୟୁନାଲ ୨୦୧୮ ଜୁଲାଇ ୨୪ରେ ପେଟ୍ରୋଲିୟମ ମନ୍ତ୍ରାଳୟର ଦାବିକୁ ପ୍ରତ୍ୟାଖ୍ୟାନ କରିଦେବା ସହିତ କମ୍ପାନି ତ୍ରୟ ସପକ୍ଷରେ ୮.୩ ନିୟୁତ ଡଲାରର କ୍ଷତିପୂରଣ ରାୟ ଦେଇଥିଲା। ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟର ବିଚାରପତି ଅନୁପ ଜୟରାମ ଭମ୍ବାନି ଉକ୍ତ ରାୟକୁ କାଏମ ରଖିଛନ୍ତି।

ସମ୍ବନ୍ଧିତ ଖବର