ଦିଲ୍ଲୀ ଅବକାରୀ ନୀତି: ଷ୍ଟିଙ୍ଗ୍‌ ଅପରେସନ ଭିଡିଓ ଜାରି କଲା ବିଜେପି

୮୦% ଲାଭ କେଜ୍ରିୱାଲ ଓ ସିସୋଦିଆ ମାଗୁଥିଲେ, ଷ୍ଟିଙ୍ଗ ଅପରେସନ ଏକ ପରିହାସ: ସିସୋଦିଆ

ନୂଆଦିଲ୍ଲୀ: ଅବକାରୀ ନୀତି ପ୍ରସଙ୍ଗରେ ବିଜେପି ଆଜି ପୁଣି ଦିଲ୍ଲୀର ଆପ୍‌ ସରକାରକୁ ଆକ୍ରମଣ କରିଛି। ବିଜେପି ନେତା ସମ୍ବିତ ପାତ୍ର ଏ ସଂକ୍ରାନ୍ତ ଏକ ଷ୍ଟିଙ୍ଗ୍ ଅପରେସନ ଭିଡିଓକୁ ସାର୍ବଜନୀନ କରିଛନ୍ତି। ସାମ୍ବାଦିକମାନଙ୍କୁ ସେ ଦେଖାଇଥିବା ଭିଡିଓରେ ମଦ ଦୁର୍ନୀତିରେ ଜଡିତ ଅଭିଯୁକ୍ତଙ୍କ ବାପା ମଦ ଦୋକାନ ଲାଇସେନ୍ସ ପାଇବା ପାଇଁ ଦେଇଥିବା କମିସନ ସଂପର୍କରେ କହିଛନ୍ତି। ଭିଡିଓରେ ଦର୍ଶାଯାଇଛି ଯେ ବ୍ୟବସାୟରୁ ଯେଉଁ ଲାଭ ହେବ ତାହାର ୮୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ‌ଓ ସେମାନଙ୍କ ବନ୍ଧୁଙ୍କ ନିକଟକୁ ଯିବ। ପ୍ରଥମେ ତୁମେ ଆମକୁ ୮୦ ପ୍ରତିଶତ କମିସନ ଦେଇଦିଅ ଏବଂ ତାହା ପରେ ୨୦ ପ୍ରତିଶତ ତୁମେ ବିକ୍ରି କର। ଆମର ସେଥିରେ କିଛି ଯା’ଆସ ନାହିଁ। ଏହା ହିଁ କେଜ୍ରିୱାଲଙ୍କ ନୀତି ଥିଲା ବୋଲି ବିଜେପି ପ୍ରବକ୍ତା ଶ୍ରୀ ପାତ୍ର ସାମ୍ବାଦିକମାନଙ୍କୁ କହିଛନ୍ତି।

ଦିଲ୍ଲୀ ବିଜେପି ମୁଖ୍ୟ ଆଦେଶ ଗୁପ୍ତା ଏବଂ ଲୋକସଭା ସଦସ୍ୟ ମନୋଜ ତିୱାରୀଙ୍କ ସହ ମିଶି ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପାତ୍ର ଉକ୍ତ ଷ୍ଟିଙ୍ଗ ଅପରେସନ ଭିଡିଓ ଜାରି କରିଛନ୍ତି। ଅବକାରୀ ଦୁର୍ନୀତିର ୧୩ ନମ୍ବର ଅଭିଯୁକ୍ତ ଥିବା ସନ୍ନି ମାରୱାଙ୍କ ବାପା କୁଲବିନ୍ଦର ମାରୱା ଷ୍ଟିଙ୍ଗ ଅପରେସନ ଭିଡିଓରେ ଆସିଛନ୍ତି। ମାରୱା ନିଜେ ଏସବୁ କଥା ଭିଡିଓରେ କହୁଥିବାରୁ ଏ ନେଇ କୌଣସି ସନ୍ଦେହ ରହିବା ଅନୁଚିତ। ଅବକାରୀ ନୀତି ନେଇ କେଜ୍ରିୱାଲ ଏବଂ ସିସୋଦିଆଙ୍କୁ ୫ଟି ପ୍ରଶ୍ନ ପଚାରିଛୁ। କିନ୍ତୁ ତାହାର ଉତ୍ତର ମିଳିନାହିଁ। ତେଣୁ ଆମେ ଷ୍ଟିଙ୍ଗ୍ ଅପରେସନ ଜରିଆରେ ସେମାନଙ୍କ ମୁଖା ଖୋଲିଛୁ ବୋଲି ବିଜେପି ନେତା ଶ୍ରୀ ପାତ୍ର କହିଛନ୍ତି। ଷ୍ଟିଙ୍ଗ୍ ଅପରେସନରୁ ଜଣାଯାଇଛି ଦିଲ୍ଲୀରେ ମଦ ବିକ୍ରି ବଢ଼ିଛି କିନ୍ତୁ ସରକାରଙ୍କ ରାଜସ୍ବ ବିଶେଷମାତ୍ରରେ କମିଛି। ବିଜେପି କେଜ୍ରିୱାଲ ଓ ସିସୋଦିଆଙ୍କ ବିରୋଧରେ ଷ୍ଟିଙ୍ଗ ଅପରେସନ ଭିଡିଓକୁ ଏକ ହସକଥା ବୋଲି କହିଛନ୍ତି ସିସୋଦିଆ। ସେ କହିଛନ୍ତି ସିବିଆଇ ତାଙ୍କ ଘର ଏବଂ କାର୍ଯ୍ୟାଳୟରେ ଚଢ଼ଉ କରିଥିଲା। ପରେ ବ୍ୟାଙ୍କ ଲକର ମଧ୍ୟ ଯାଞ୍ଚ କରିଥିଲା। କିନ୍ତୁ କିଛି ପାଇ ନଥିଲା। ଯେତେବେଳେ ସିବିଆଇ କିଛି ନପାଇ ମୋତେ କ୍ଲିନଚିଟ୍ ଦେଇଛି ସେତେବେଳେ ଷ୍ଟିଙ୍ଗ ଅପରେସନ ଏକ ପରିହାସ ବୋଲି ସିସୋଦିଆ କହିଛନ୍ତି।

ଗିରଫ ପାଇଁ ଚାପ ପକାଇବାରୁ ସିବିଆଇ ଅଧିକାରୀଙ୍କ ଆତ୍ମହତ୍ୟା: ସିସୋଦିଆ

Image Courtesy of India Today

ନୂ୍ଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ଅତି ଅଜବ ଅଭିଯୋଗ କରିଛନ୍ତି। ସିସୋଦିଆ କହିଛନ୍ତି, ନକଲି ଅବକାରୀ ଦୁର୍ନୀତି ମାମଲାରେ ତାଙ୍କୁ ଫସାଇବାପାଇଁ ଜ‌ଣେ ସିବିଆଇ ଅଧିକାରୀଙ୍କ ଉପରେ ଚାପ ପକାଯାଇଥିଲା। ତାଙ୍କୁ ଗିରଫ କରିବାପାଇଁ ସିବିଆଇ ଅଧିକାରୀଙ୍କୁ ପ୍ରବଳ ଚାପ ପକାଇବାରୁ ଅଧିକାରୀ ଜଣଙ୍କ ଅତ୍ୟଧିକ ମାନସିକ ଚାପ‌ରେ ଆତ୍ମହତ୍ୟା କରିଦେଲେ। ସିସୋଦିଆ ସିବିଆଇର ଡେପୁଟି ଲିଗାଲ ଆଡଭାଇଜର ଜିତେନ୍ଦ୍ର କୁମାରଙ୍କ ପ୍ରସଙ୍ଗରେ ଏହା କହିଛନ୍ତି। ଜି‌ତେନ୍ଦ୍ର ପ୍ରସାଦ ଗତ ୨ ଦିନ ତଳେ ଆତ୍ମହତ୍ୟା କରିଥିଲେ। ଏହି ପ୍ରସଙ୍ଗରେ ସିସୋଦିଆ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଆକ୍ରମଣ କରିଛନ୍ତି। ସିସୋଦିଆ‌ କହିଛନ୍ତି, ପ୍ରଧାନମନ୍ତ୍ରୀ କାହିଁକି ଅଧିକ‌ାରୀମାନଙ୍କୁ ଏତେ ଚାପରେ ରଖୁଛନ୍ତି ଯାହା ଫଳରେ ସେମାନେ ଏଭଳି ଚରମ ପଦ‌କ୍ଷେପ ନେଉଛନ୍ତି। ସିସୋଦିଆ କହିଛନ୍ତି, ଯଦି ଚାହୁଛ ମତେ ଗିରଫ କର କିନ୍ତୁ ତୁମ ଅଫିସରଙ୍କ ପରିବାରକୁ ଏଭଳି ଭାବେ ଭାଙ୍ଗି ଦିଅନି। ତେବେ ସିସୋଦିଆଙ୍କ ଏଭଳି ଦାବିକୁ ସିବିଆଇ ଖଣ୍ଡନ କରିଛି। ସିସୋଦିଆ ବିଭ୍ରାନ୍ତିକାରୀ ଟିପ୍ପଣୀ ଦେଉଛନ୍ତି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର