ଜାଣିନି ସେ ମୋବାଇଲ କୁଆଡେ ଗଲା? ଇଡି ପ୍ରଶ୍ନରେ ଏଭଳି ଉତ୍ତର ରଖିଲେ କେଜ୍ରିୱାଲ!

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାକୁ ନେଇ ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଜେଲରେ ଅଛନ୍ତି | ତେବେ ଏହାକୁ ନେଇ ଏକ ବଡ ଖୁଲାସା ହୋଇଛି । ସୂତ୍ରରୁ ପ୍ରକାଶ ଯେ, ନୂତନ ଏକ୍ସାଇଜ୍ ପଲିସି ୨୦୨୧ ପ୍ରସ୍ତୁତ ହେଉଥିବା ସମୟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଯେଉଁ ଫୋନ୍ ବ୍ୟବହାର କରୁଥିଲେ ତାହା ଗାୟବ ହୋଇଯାଇଛି। ସୂତ୍ରରୁ ପ୍ରକାଶ ଯେ ଏକ୍ସାଇଜ୍ ପଲିସିରେ ହୋଇଥିବା ଦୁର୍ନୀତିର ତଦନ୍ତ ସମ୍ପର୍କରେ କେଜ୍ରିୱାଲଙ୍କୁ ପଚରାଉଚରା କରୁଥିବାବେଳେ ଇଡି ଅଧିକାରୀମାନେ ତାଙ୍କୁ ସେହି ସମୟରେ ବ୍ୟବହାର କରୁଥିବା ଫୋନ୍ ମାଗିଥିଲେ।

ଇଡିର ପଚରାଉଚରା ବେଳେ ଆମ୍ ଆଦମୀ ପାର୍ଟିର ଜାତୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ ତାଙ୍କ ଫୋନ୍ କୁଆଡେ ଗଲା ସେ ଜାଣି ନାହାଁନ୍ତି। ଆଜି ପ୍ରାୟ ୪ ଘଣ୍ଟା ଧରି ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରଶ୍ନ ପଚରାଯାଇଥିଲା | କେବଳ ଏତିକି ନୁହେଁ ରବିବାର ଦିନ ଜେଲରେ ସମୀର ମହେନ୍ଦୁଙ୍କ ବିବୃତ୍ତି ମଧ୍ୟ ରେକର୍ଡ କରାଯାଇଛି ।

ଏହା ବ୍ୟତୀତ ଆସନ୍ତା ମଙ୍ଗଳବାର ଦିନ ଅରବିନ୍ଦ କେଜ୍ରିୱାଲଙ୍କୁ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କ ସଚିବ ଥିବା ସି ଅରବିନ୍ଦଙ୍କ ସମ୍ମୁଖରେ ପଚରାଉଚରା କରାଯାଇପାରେ ବୋଲି କୁହାଯାଉଛି । ମନୀଷ ସିସୋଡିଆ ଏବଂ କେ କବିତା ମଧ୍ୟ ଇଡିଙ୍କୁ କହିଥିଲେ ଯେ ଏକ୍ସାଇଜ୍ ପଲିସି ତିଆରି କରିବା ସମୟରେ ସେମାନନେ ବ୍ୟବହାର କରୁଥିବା ଫୋନ୍ ସେମାନଙ୍କ ପାଖରେ ନାହିଁ | ସୂତ୍ରରୁ ଜଣାପଡିଛି ଯେ ପ୍ରମାଣ ନଷ୍ଟ କରିବାକୁ ମୋବାଇଲ୍ ଫୋନ୍ ନଷ୍ଟ କରାଯାଇଛି ବୋଲି ଇଡି ଭାବୁଛି ।

ସମ୍ବନ୍ଧିତ ଖବର