କଙ୍ଗନାଙ୍କ ସହ ରାମାୟଣ ଧାରାବାହିକର ରାମ ଲଢ଼ିବେ ନିର୍ବାଚନ

ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନ ପାଇଁ ଆଜି ବିଜେପି ୧୧୧ ଜଣ ପ୍ରାର୍ଥୀଙ୍କ ପଞ୍ଚମ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ମଧ୍ୟ ଟିକେଟ ଦିଆଯାଇଛି। ସେ ହିମାଚଳପ୍ରଦେଶର ମାଣ୍ଡିରୁ ନିର୍ବାଚନ ଲଢ଼ିବେ । ସୀତା ସୋରେନଙ୍କୁ ଦୁମକାରୁ ଟିକେଟ ଦିଆଯାଇଛି। ସୀତା ସୋରେନ ହେଉଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭାଉଜ ଏବଂ ନିକଟରେ ସେ ବିଜେପିରେ ଯୋଗ ଦେଇଥିଲେ। ଉତ୍ତରପ୍ରଦେଶର ମେରଟରୁ ଏହାର ପ୍ରାର୍ଥୀ ଭାବେ ରାମାୟଣ ଧାରାବାହିକରେ ପ୍ରଭୁ ରାମଙ୍କ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋବିଲଙ୍କୁ ଟିକେଟ ଦେଇଛି |

କଂଗ୍ରେସରୁ ବିଜେପିରେ ଯୋଗ ଦେଇଥିବା ନବୀନ ଜିନ୍ଦଲଙ୍କୁ ମଧ୍ୟ କୁରୁକ୍ଷେତ୍ରରୁ ଟିକେଟ୍ ଦିଆଯାଇଛି। ରବି ଶଙ୍କର ପ୍ରସାଦଙ୍କୁ ପାଟନା ସାହିବରୁ ପ୍ରାର୍ଥୀ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂ ବେଗୁସରାଇରୁ ନିର୍ବାଚନ ଲଢ଼ିବେ । ରାଜମୁନ୍ଦରୀରୁ ଡି ପୁରନ୍ଦେଶ୍ୱରୀ, ମୁଜାଫରପୁରରୁ ରାଜ ଭୂଷଣ ନିଶାଦ ଏବଂ ପାଟଲିପୁତ୍ରରୁ ରାମ କ୍ରିପାଲ ଯାଦବଙ୍କୁ ବିଜେପି ଟିକେଟ ଦେଇଛି।

ବିଜେପିର ପଞ୍ଚମ ତାଲିକାରେ ବିଜେପି ଆନ୍ଧ୍ରପ୍ରଦେଶର ୬ ଜଣ, ବିହାରର ୧୭ ଜଣ, ଗୋଆର ୧ ଜଣ, ଗୁଜୁରାଟର ୬ ଜଣ, ହରିୟାଣାର ୪ ଜଣ, ହିମାଚଳ ପ୍ରଦେଶର ୩ ଜଣ, ଝାଡଖଣ୍ଡର ୩ ଜଣ,କର୍ଣ୍ଣାଟକର ୪ଜଣ, କେରଳର ୪ଟି ଲୋକସଭା ଆସନ, ମହାରାଷ୍ଟ୍ରରେ ୩, ମିଜୋରାମରେ ୧, ଓଡିଶାରେ ୧୮, ରାଜସ୍ଥାନରେ ୭, ସିକ୍କିମରେ ୧, ତେଲେଙ୍ଗାନାରେ ୨, ଉତ୍ତରପ୍ରଦେଶରେ ୧୩ ଏବଂ ପଶ୍ଚିମବଙ୍ଗରେ ୧୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର