କେଜ୍ରିୱାଲଙ୍କ ଗିରଫଦାରୀ: ଦିଲ୍ଲୀରେ ବିଶାଳ ରାଲି କରିବାକୁ ଯୋଜନା କଲା ‘ଇଣ୍ଡିଆ’ ମେଣ୍ଟ

ନୂଆଦିଲ୍ଲୀ: ଦେଶର ସ୍ୱାର୍ଥ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ମଳିତ ବିରୋଧୀ ଦଳ ଇଣ୍ଡିଆନ୍‌ ନ୍ୟାସନାଲ ଡେଭଲପମେଣ୍ଟ ଇନକ୍ଲୁସିଭ୍‌ ଆଲାଏନ୍‌ସ (ଇଣ୍ଡିଆ) ଆସନ୍ତା ୩୧ ତାରିଖରେ ଦିଲ୍ଲୀର ରାମଲୀଳା ମଇଦାନରେ ଏକ ମହା ରାଲି କରିବ ବୋଲି ଆମ୍‌ ଆଦମୀ ପାର୍ଟି (ଆପ୍‌) ନେତା ଗୋପାଳ ରାୟ ରବିବାର କହିଛନ୍ତି।

ଅବକାରୀ ନୀତି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ (୫୫)ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗୁରୁବାର ତାଙ୍କ ସରକାରୀ ବାସଭବନରୁ ଗିରଫ କରିବା ପରେ ଏହି ଘୋଷଣା କରାଯାଇଛି। ଶୁକ୍ରବାର ଦିନ ଏକ ଅଦାଲତ ଆପ୍‌ ରାଷ୍ଟ୍ରୀୟ ସଂଯୋଜକଙ୍କୁ ମାର୍ଚ୍ଚ ୨୮ ପର୍ଯ୍ୟନ୍ତ କେନ୍ଦ୍ରୀୟ ଏଜେନ୍‌ସି (ଇଡି)ର ହେପାଜତକୁ ପଠାଇ ଦେଇଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ‘ଇଣ୍ଡିଆ’ ମେଣ୍ଟର ସହଯୋଗୀ ଆପ୍‌ ଏବଂ କଂଗ୍ରେସ ଏହି ରାଲି ଘୋଷଣା କରିଛନ୍ତି।
ଦେଶରେ ଯାହା ଘଟୁଛି ତାହା ବିରୋଧରେ ଆସନ୍ତା ୩୧ ତାରିଖରେ ରାମଲୀଳା ମଇଦାନରେ ମହାସମାବେଶ କରାଯିବ। ଏହି କାର୍ଯ୍ୟକ୍ରମରେ ‘ଇଣ୍ଡିଆ’ ମେଣ୍ଟର ଶୀର୍ଷ ନେତୃତ୍ୱ ଅଂଶଗ୍ରହଣ କରିବେ ବୋଲି ଆପ୍‌ର ଦିଲ୍ଲୀ ଆବାହକ ରାୟ କହିଛନ୍ତି। ଗଣତନ୍ତ୍ର ଓ ଦେଶ ବିପଦରେ ପଡ଼ିଛି। ଦେଶର ସ୍ୱାର୍ଥ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ସମସ୍ତ ‘ଇଣ୍ଡିଆ’ ମେଣ୍ଟର ସମସ୍ତ ଦଳ ଏହି ମହା ରାଲି ଆୟୋଜନ କରିବେ ବୋଲି ଶ୍ରୀ ରାୟ କହିଛନ୍ତି।

କଂଗ୍ରେସର ଦିଲ୍ଲୀ ୟୁନିଟ୍‌ ମୁଖ୍ୟ ଅରବିନ୍ଦର ସିଂହ ଲଭଲି ଅଭିଯୋଗ କରିଛନ୍ତି ଯେ ବିରୋଧୀ ଦଳମାନଙ୍କୁ ସମାନ ସୁଯୋଗ ଦିଆଯାଉ ନାହିଁ ଏବଂ ତାଙ୍କ ଦଳର ଆକାଉଣ୍ଟକୁ ଫ୍ରିଜ୍‌ କରିବା ଏବଂ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରାଯିବା ଉପରେ ସେ ଆଲୋକପାତ କରିଛନ୍ତି।

ମାର୍ଚ୍ଚ ୩୧ ମହାସମାବେଶ କେବଳ ରାଜନୈତିକ ନୁହେଁ ବରଂ ଦେଶର ଗଣତନ୍ତ୍ରକୁ ବଞ୍ଚାଇବା ଏବଂ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ବିରୋଧରେ ସ୍ୱର ଉତ୍ତୋଳନ କରିବା ପାଇଁ ଆହ୍ଵାନ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର