ପୁଣି ପାକିସ୍ତାନକୁ ଧମକାଇଲେ ଗଡକରୀ, ଆତଙ୍କବାଦ ବନ୍ଦ ନହେଲେ ପାଣି ବନ୍ଦ କରିବୁ

ନୂଆଦିଲ୍ଲୀ : ପୁଣି ଥରେ ପାକିସ୍ତାନକୁ ଧମକାଇଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ । ସେ କହିଛନ୍ତି ଯେ ପାକିସ୍ତାନ ଯଦି ଆତଙ୍କବାଦକୁ ବନ୍ଦ ନକରେ ତେବେ ଭାରତ ବାଧ୍ୟ ହୋଇ ପାଣି ବନ୍ଦ କରିଦେବ । ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ଭାରତ ଏବେ ସିନ୍ଧୁ ଜଳବଣ୍ଟନ ଚୁକ୍ତିର ଅଧ୍ୟୟନ କରୁଛି । ବିଶେଷକରି ଭାରତର ସଂପୂର୍ଣ୍ଣ ଅଧିକାର ଥିବା ୩ଟି ନଦୀର ପ୍ରକଳ୍ପ ରିପୋର୍ଟକୁ ଅଧ୍ୟୟନ କରାଯାଉଛି । କିଛି ଦିନ ତଳେ ମଧ୍ୟ ଗଡକରୀ ଏପରି ମନ୍ତବ୍ୟ ଦେଇଥିବାରୁ ପାକିସ୍ତାନ ତାହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ।୧୯୬୦ର ସିନ୍ଧୁ ଜଳବଣ୍ଟନ ଚୁକ୍ତିକୁ ଭାରତ ସମ୍ମାନ ଜଣାଉ ବୋଲି ପାକିସ୍ତାନର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ।

ସୂଚନାଯୋଗ୍ୟ ଯେ ହିମାଳୟରୁ ବାହାରି ଥିବା ୬ଟି ନଦୀ ଭାରତ ବାଟଦେଇ ପାକିସ୍ତାନକୁ ଯାଉଛନ୍ତି। ସେଗୁଡ଼ିକ ହେଲେ ସିନ୍ଧୁ, ରବି, ଚେନାବ,ଝେଲମ, ସତଲେଜ ଓ ବ୍ୟାସ । ୧୯୬୦ର ସିନ୍ଧୁ ନଦୀ ଜଳବଣ୍ଟନ ଚୁକ୍ତି ଅନୁସାରେ ବ୍ୟାସ, ସତଲେଜ ଓ ରବି ଭାରତ ନିୟନ୍ତ୍ରଣରେ ରହିଥିବା ବେଳେ ଅନ୍ୟତିନୋଟି ନଦୀ ପାକିସ୍ତାନ ନିୟନ୍ତ୍ରଣରେ ଅଛି ।

ସମ୍ବନ୍ଧିତ ଖବର