ଏୟାର ଇଣ୍ଡିଆର ପୁରୁଣା ବିମାନକୁ ଅତ୍ୟାଧୁନିକ ଗୁପ୍ତଚର ବିମାନରେ ପରିଣତ କରିବ ଡିଆରଡିଓ

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା ପାଇଁ  ପ୍ରତିରକ୍ଷା ଗବେଷଣା ସଂସ୍ଥା (ଡିଆରଡିଓ) ୬ଟି ନୂଆ ଏୟାରବୋର୍ନ ଆର୍ଲି ଓ୍ବାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏରୋପ୍ଲେନ (ଏଇଡବ୍ଲୁଏଣ୍ଡସି) ନିର୍ମାଣ କରିବ । ଏ ସମ୍ପର୍କିତ ପ୍ରସ୍ତାବକୁ କେନ୍ଦ୍ର ସରକାର ଖୁବଶୀଘ୍ର ସବୁଜ ସଂକେତ ଦେବାର ସମ୍ଭାବନା ରହିଛି । ଏଥିପାଇଁ ସରକାର ୧୦,୫୦୦ କୋଟି ଟଙ୍କା ମଂଜୁର କରିବେ ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଡିଆରଡିଓ ଏୟାର ଇଣ୍ଡିଆଠାରୁ ୬ଟି ବିମାନ କିଣି ତାହା ଉପରେ ରାଡାର ଓ ଅନ୍ୟାନ୍ୟ ଅତ୍ୟାଧୁନିକ ଉପକରଣ ଲଗାଇ ଏଗୁଡ଼ିକୁ ବିକଶିତ କରିବ । ଏହାର ଅର୍ଥ ହେଉଛି ଏହି ପ୍ରହରା ବିମାନଗୁଡ଼ିକ ପାଇଁ ଭାରତ ବିଦେଶରୁ ନୂଆ ବିମାନ ନ କିଣି ସରକାରୀ ଉଦ୍ୟୋଗ ଏୟାର ଇଣ୍ଡିଆର ବିମାନକୁ ବିକଶିତ କରାଯିବ । ଏହା ଫଳରେ ଭାରତ ବହୁମୂଲ୍ୟ ବିଦେଶୀ ମୁଦ୍ରା ସଂଚୟ କରିପାରିବ ।

ଏଗୁଡ଼ିକ ମାଧ୍ୟମରେ ଚୀନ ଓ ପାକିସ୍ତାନ ଉପରେ ନଜର ରଖିହେବ । ସାଧାରଣ ପ୍ରହରା ରାଡାର ତୁଳନାରେ ଏଗୁଡ଼ିକ ୩୬୦ ଡିଗ୍ରୀ ପ୍ରହରା ଦେଇପାରିବ । ଶତ୍ରୁ ଦେଶର ଆଭ୍ୟନ୍ତରୀୟ ଅଞ୍ଚଳଗୁଡିକ ଉପରେ ମଧ୍ୟ ଏହା ନଜର ରଖିପାରିବ ଓ ଗୁରୁତ୍ବପୂର୍ଣ୍ଣ ତଥ୍ୟ ସଂଗ୍ରହ କରିପାରିବ । ଏପରିକି ଏସବୁ କାର୍ଯ୍ୟପାଇଁ ଭାରତ ପୂର୍ବରୁ ବ୍ୟବହାର କରୁଥିବା ନେତ୍ର ବିମାନ ଗୁଡ଼ିକ ତୁଳନାରେ ଏଗୁଡ଼ିକ ଅଧିକ ସକ୍ଷମ  ଓ ଆଧୁନିକ ବୋଲି ଜଣାପଡ଼ିଛି ।

 

ସମ୍ବନ୍ଧିତ ଖବର