ଏମ୍‌ସର ପୁନଃନାମକରଣ ଯୋଜନାକୁ ଅଧ୍ୟାପକ ସଂଘର ବିରୋଧ: କର୍ମଚାରୀଙ୍କ ମନୋବଳକୁ ଦୁର୍ବଳ କରିବ

ନୂଆଦିଲ୍ଲୀ ୪/୯: କେନ୍ଦ୍ର ସରକାର ଦିଲ୍ଲୀ ସମେତ ଦେଶର ୨୩ଟି ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍‌ସ)ର ପୁନଃନାମକରଣ ଯୋଜନା ଚଳାଇଛନ୍ତି। ଏଥିପାଇଁ ସବୁ ‌ଏମ୍‌ସକୁ ନୂଆ ନାମ ଉପରେ ପ୍ରସ୍ତାବ ଦେବାକୁ କୁହାଯାଇଛି। ତେବେ ଫାକଲ୍‌ଟି ଆସୋସିଏସନ ଅଫ୍ ଏମ୍‌ସ (ଏଫଏଆଇଏମଏସ) ଏହାକୁ ଦୃଢ଼ ବିରୋଧ କରିଛି। ଆଞ୍ଚଳିକ ସ୍ତରର ବିଶିଷ୍ଟ ବ୍ୟକ୍ତି, ସ୍ବାଧୀନତା ସଂଗ୍ରାମୀ କିମ୍ବା ସେହି ଅଞ୍ଚଳର କୀର୍ତ୍ତିରାଜି କିମ୍ବା ଭୌଗଳିକ ପରିଚୟ ଅନୁସାରେ ଏହା କରିବାକୁ ପ୍ରସ୍ତାବ ରହିଛି। ଉକ୍ତ ପ୍ରସ୍ତାବ ଏବେ ଆଲୋଚନା ସ୍ତରରେ ରହିଛି। କିନ୍ତୁ ଏଫଏଏମ୍‌ସ ପକ୍ଷରୁ କୁହାଯାଇଛି ଏଭଳି ନିଷ୍ପତ୍ତି ଦ୍ବାରା ଦେଶ ଭିତରେ ଏବଂ ବାହାରେ ଏମ୍‌ସର ପରିଚୟ ନଷ୍ଟ ହେବା ସହିତ କର୍ମଚାରୀମାନଙ୍କ ମନବଳକୁ ଦୁର୍ବଳ କରିବ। ସଂଘ ପକ୍ଷରୁ ଦୁଇ ଦିନ ମଧ୍ୟରେ ସଦସ୍ୟମାନଙ୍କ ମତାମତ ଲୋଡ଼ାଯାଇଛି। ସଦସ୍ୟମାନଙ୍କ ମତାମତ ଆଧାରରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସଂଘ କହିଛି। ନାମ ସହିତ ଏମ୍‌ସର ପରିଚିତି ଯୋଡ଼ା ହୋଇ ରହିଛି। ଯଦି ପରିଚୟ ହଜିଯାଏ ତାହେଲେ ସଂସ୍ଥାଗତ ସ୍ବୀକୃତି ମଧ୍ୟ ଦେଶ ଭିତରେ ଏବଂ ବାହାରେ ନଷ୍ଟ ହୋଇଯିବ। ଏଥିପାଇଁ ଶତାବ୍ଦୀ ଶତାବ୍ଦୀ ଧରି ଅକ୍ସଫୋର୍ଡ, କେମ୍ବ୍ରିଜ ଏବଂ ହାର୍ଭାର୍ଡ ଭଳି ବିଶ୍ବବିଦ୍ୟାଳୟର ନାମ ପରିବର୍ତ୍ତନ କରାଯାଇନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆଇଆଇଟି ଏବଂ ଆଇଆଇଏମ ଭଳି ଏମ୍‌ସ। ଆଇଆଇଟି ଓ ଆଇଆଇଏମ୍‌ର ନାମ ପରିବର୍ତ୍ତନ ପ୍ରସ୍ତାବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର