ସରକାର ବ୍ୟବସାୟ ଚଲାଇବା ଅନୁଚିତ: ଭାର୍ଗବ

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକ ଦକ୍ଷ ନୁହନ୍ତି। ସେମାନେ ନିଜ ଅଭିବୃଦ୍ଧି ପାଇଁ ପାଣ୍ଠି ଯୋଗାଡ଼ କରିପାରୁନାହାନ୍ତି। ଆଗକୁ ବଢ଼ିବା ଲାଗି ସେମାନେ ସବୁ ବେଳେ ସହାୟତା ଲୋଡ଼ୁଛନ୍ତି। ନିବେଶ ପାଇଁ ସରକାରଙ୍କ ଉପରେ ନିର୍ଭର କରୁଛନ୍ତି। ସେଥିପାଇଁ ସରକାର ବ୍ୟବସାୟ ଚଳାଇବା ଅନୁଚିତ ବୋଲି ମାରୁତି ସୁଜୁକି ଇଣ୍ଡିଆର ଅଧ୍ୟକ୍ଷ ଆର୍‌ ସି ଭାର୍ଗବ କହିଛନ୍ତି। ସେ କହିଛନ୍ତି ସରକାର ଚଲାଉଥିବା କଂପାନିଗୁଡ଼ିକ ଦକ୍ଷ ନୁହନ୍ତି। ସେମାନଙ୍କ ଉତ୍ପାଦକତା ନାହିଁ। ସେମାନେ ଲାଭ କରିପାରୁନାହାନ୍ତି। ସମ୍ବଳ ସୃଷ୍ଟି କରିପାରୁନାହାନ୍ତି ଓ ଆଗକୁ ମଧ୍ୟ ବଢ଼ିପାରୁନାହାନ୍ତି। ସବୁ ସମୟରେ ସେମାନଙ୍କୁ ସରକାରଙ୍କଠାରୁ ପାଣ୍ଠି ଦରକାର ହେଉଛି। ନିଜସ୍ବ ସମ୍ବଳରେ ଆଗକୁ ବଢ଼ିପାରୁଥିବା ସରକାରୀ ସଂସ୍ଥା ସଂଖ୍ୟା ଅଧିକ ନାହିଁ। ଟିକସ ପାଣ୍ଠିକୁ ବ୍ୟବହାର କରି ଶିଳ୍ପ ଅଭିବୃଦ୍ଧିକୁ ଆଗକୁ ବଢ଼ାଇ ହେବନାହିଁ ବୋଲି ସେ କହିଛନ୍ତି। କଂପାନି ସମ୍ପତ୍ତି ନାଶକାରୀ ହେବା ବଦଳରେ ସମ୍ପତ୍ତି ସୃଷ୍ଟିକାରୀ ହେବା ଦରକାର। ନିଜସ୍ବ ଉତ୍ସରୁ ସମ୍ବଳ ବାହାର କରିପାରିଲେ ଶିଳ୍ପ ଅଭିବୃଦ୍ଧି ଆଗକୁ ବଢ଼ିପାରିବ। ତେବେ ପ୍ରଦର୍ଶନ କରିପାରୁନଥିବା ସରକାରୀ କଂପାନିଗୁଡ଼ିକୁ ସେ ସେଥିପାଇଁ ଦାୟୀ କରିନାହାନ୍ତି। ସରକାରୀ ବ୍ୟବସ୍ଥାରେ କଂପାନିଗୁଡ଼ିକ ପଙ୍ଗୁ ହୋଇରହିଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର