ବିଜେପିଠାରୁ ଯେଉଁ ଟଙ୍କା ନେଇଛ, ତାହା ଅମିତ ଶାହାଙ୍କୁ ଫେରାଇଦିଅ: ଗେହଲୋଟ

ଜୟପୁର: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଆଜି ପରୋକ୍ଷରେ ସଚିନ ପାଇଲଟଙ୍କ କ୍ୟାମ୍ପକୁ ଟାର୍ଗେଟ କରିଛନ୍ତି | ସେ ବିଦ୍ରୋହ ପାଇଁ ବିଜେପିରୁ କୋଟି କୋଟି ଟଙ୍କା ନେଇଥିବା ଅଭିଯୋଗକୁ ଦୋହରାଇଛନ୍ତି। ଏହା ସହ ଅମିତ ଶାହାଙ୍କୁ ଟଙ୍କା ଫେରସ୍ତ କରିବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ରବିବାର ଦିନ, ଧୌଲପୁରର ରାଜଖେଡାରେ ଗେହଲୋଟ୍ କହିଛନ୍ତି- ସେହି ସମୟରେ(ବିଦ୍ରୋହ) ଆମ ବିଧାୟକମାନଙ୍କୁ ୧୦ ରୁ ୨୦ କୋଟି ଟଙ୍କା ବଣ୍ଟନ କରାଯାଇଥିଲା। ସେହି ଟଙ୍କା ଅମିତ ଶାହାଙ୍କୁ ଫେରସ୍ତ କରାଯିବା ଉଚିତ୍। ଗେହଲୋଟ କହିଛନ୍ତି ଯେ, ଅମିତ ଶାହା, ଧର୍ମେନ୍ଦ୍ର ପ୍ରଧାନ ଏବଂ ଗଜେନ୍ଦ୍ର ସିଂ ଶେଖାୱତ ସମସ୍ତେ ମିଶି ଆମ ସରକାରକୁ ହଟାଇବାକୁ ଷଡଯନ୍ତ୍ର କରିଥିଲେ। ରାଜସ୍ଥାନର ବିଧାୟକମାନଙ୍କୁ ଟଙ୍କା ବଣ୍ଟନ କରାଯାଇଥିଲା। ତେବେ ମୁଁ ଚିନ୍ତିତ, ସେମାନେ କାହିଁକି ଟଙ୍କା ନେଉନାହାନ୍ତି? ମୁଁ ଆମର ବିଧାୟକମାନଙ୍କୁ ମଧ୍ୟ କହିଥିଲି ଯେ ଯିଏ ୧୦-୨୦ କୋଟି ନେଇଛ ଓ ଯଦି ସେଥିରୁ କିଛି ଖର୍ଚ୍ଚ କରିସାରିଛି, ତେବେ ମୁଁ ସେହି ଟଙ୍କା ଦେଇଦେବି | ମୁଁ ଏହାକୁ ଏଆଇସିସିରୁ କେମିତି ମିଳିବ ସେ ବ୍ୟବସ୍ଥା କରିଦେବି |

ତୁମେ ଅମିତ ଶାହାଙ୍କୁ ଟଙ୍କା ଫେରସ୍ତ କର | ସେ କହିଛନ୍ତି, ଯଦି ଆପଣ ୧୦ କୋଟି ନେଇଛନ୍ତି ତେବେ ୧୦ କୋଟି, ଯଦି ଆପଣ ୧୫ କୋଟି ନେଇଛନ୍ତି ତେବେ ତାଙ୍କୁ ୧୫ କୋଟି ଟଙ୍କା ଫେରସ୍ତ କରନ୍ତୁ | ତାଙ୍କ ଟଙ୍କା ରଖନ୍ତୁ ନାହିଁ | ଯଦି ଆପଣ ତାଙ୍କ ଟଙ୍କା ରଖନ୍ତି, ସେ ସର୍ବଦା ଆପଣଙ୍କ ଉପରେ ଚାପ ପକାଇବେ | ସେ ମଧ୍ୟ ଗୃହମନ୍ତ୍ରୀ, ଗୁଜୁରାଟରେ ସେ ଯେପରି ଧମକ ଦେଇ ଭୟଭୀତ କରାଉଛନ୍ତି, ସେଭଳି ତୁମ ସହ କରିବେ । ଗେହଲୋଟ୍ କହିଛନ୍ତି- ମୁଁ ବିଧାୟକମାନଙ୍କୁ କହିଛି, ଯଦି ଭୁଲ କରିଛ, କିଛି ଅସୁବିଧା ନାହିଁ | ସେସବୁକୁ ଭୁଲିଯାଅ | ଯଦି ତୁମେ କୋଟିଏ କି ଦୁଇ କୋଟି ଟଙ୍କା ଖର୍ଚ୍ଚ କରିଛ, ତେବେ ମୋତେ କୁହ | କଂଗ୍ରେସ ସଭାପତିଙ୍କୁ କହି ମୁଁ ଟଙ୍କା ଯୋଗାଇବି। ତାଙ୍କ ଟଙ୍କା ଫେରସ୍ତ କରିଦିଅ, ଯାହା ଦ୍ୱାରା ସ୍ୱାଧୀନ ଭାବରେ କାମ କରିପାରିବେ | ମୁଁ ପୂର୍ଣ୍ଣ ସମର୍ଥନ ଦେବି’ |

ସମ୍ବନ୍ଧିତ ଖବର