କେନ୍ଦୁପତ୍ରରୁ ଜିଏସ୍‌ଟି ହ୍ରାସ ସୁପାରିସ ହୋଇନାହିଁ

ନୂଆଦିଲ୍ଲୀ: ଓଡ଼ିଶା ସରକାରଙ୍କ ଦ୍ବାରା କେନ୍ଦୁପତ୍ର ଉପରେ ଜିଏସ୍‌ଟି ହ୍ରାସ କରାଯିବା ପ୍ରସ୍ତାବ ଉପରେ ଜିଏସ୍‌ଟି ପରିଷଦ ପକ୍ଷରୁ ତିନିଟି ବୈଠକରେ ସୁପାରିସ କରାଯାଇ ନାହିଁ। ଏହି ସବୁ ବୈଠକ ସେପ୍ଟେମ୍ବର ୯, ୨୦୧୭, ଅକ୍ଟୋବର ୬, ୨୦୧୭ ଓ ସେପ୍ଟେମ୍ବର ୨୦୧୯ରେ ଅନୁଷ୍ଠିତ ହୋଇଥିଲା। ଆଜି ଲୋକସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ। ମନ୍ତ୍ରୀ ତାଙ୍କ ଉତ୍ତରରେ କହିଛନ୍ତି, କେନ୍ଦୁପତ୍ର ଉପରେ ଜିଏସ୍‌ଟି ହ୍ରାସ ଅନୁରୋଧ ପରିଷଦର ୧୪ ଓ ୧୫ତମ ବୈଠକରେ ବିଚାର କରାଯାଇଥିଲା। କେନ୍ଦୁପତ୍ର ଉପରେ ୧୫ ପ୍ରତିଶତ ଟିକସ ଲଗାଯାଉ ବୋଲି ପରିଷଦର ୧୫ତମ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ହେଲେ ଓଡ଼ିଶା ସରକାର କେନ୍ଦୁପତ୍ର ଉପରେ ଜିଏସ୍‌ଟି ୧୫ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ପାଇଁ ଅନୁରୋଧ କରିଥିଲେ। ଯାହାକୁ ପରିଷଦ ତାହାର ତିନିଟି ବୈଠକରେ ସୁପାରିସ କରିନଥିଲା ବୋଲି କେନ୍ଦ୍ର ଅର୍ଥ ରାଷ୍ଟ୍ରମନ୍ତ୍ରୀ ବିଜେଡି ସାଂସଦ ପ୍ରମିଳା ବିଷୋୟୀଙ୍କ ଅଣତାରକା ପ୍ରଶ୍ନର ଉତ୍ତରରେ କହିଛନ୍ତି।

ଖଣି ଖନନ ପାଇଁ ୧୪,୧୫,୮୩୪ ହେକ୍ଟର ଜଙ୍ଗଲ ଜମିର କିସମ ପରିବର୍ତ୍ତନ
ଖଣି ଖନନ ପାଇଁ ଓଡ଼ିଶାରେ ୧୪ ଲକ୍ଷ ୧୫ ହଜାର ୮୩୪ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇଛି। ଯାହାକି ଦେଶରେ ସର୍ବାଧିକ। କେନ୍ଦ୍ର ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଲୋକସଭାରେ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟ ଅନୁସାରେ, ଏପ୍ରିଲ ୧, ୨୦୧୧ ରୁ ମାର୍ଚ୍ଚ ୩୧, ୨୦୨୧ ମଧ୍ୟରେ ଓଡ଼ିଶା ସମେତ ଦେଶର ୧୯ଟି ରାଜ୍ୟରେ ଖଣି ପ୍ରକଳ୍ପ ପାଇଁ ୩୮,୮୪୬.୭ ହେକ୍ଟର ସଂରକ୍ଷିତ ଜଙ୍ଗଲ ଜମିର କିସମ ପରିବର୍ତ୍ତନ କରାଯାଇଛି।

ସମ୍ବନ୍ଧିତ ଖବର